ଓଡ଼ିଶାଲାଇଭ୍ ବ୍ୟୁରୋ
- ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା
- ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ
- ଆଗକୁ ୩ରୁ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବାବେଳେ ଆଗକୁ ରାତି ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଭାରତର ପୂର୍ବ ଭାଗରେ ସକ୍ରିୟ ଥିବା ଗୁରୁଚାପ ବଳୟ ଯୋଗୁଁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।
ସେହିପରି ରାଜ୍ୟରେ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ବୁଧବାର ଯାଏଁ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୧୧.୫ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୧୧.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ, କୋରାପୁଟରେ ୧୨.୪ ଡିଗ୍ରୀ ଓ ଫୁଲବାଣୀରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଜାନୁଆରିର ପ୍ରଥମ ସପ୍ତାହରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Tags: #Weather #Winter #MCBBSR #IMD #Odisha