ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ। ଏହା ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।
ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ବିଜ୍ଞାନ ବିଭାଗରେ ସର୍ବାଧିକ ୧ ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଏଥର ୧୨୭୬ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ସମେତ ୪୭୫ଟି ସେଲ୍ଫ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେଉଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି।
ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮ଟି, ବାଣିଜ୍ୟ ବିଭାଗର ୨ଟି ଓ ଧନ୍ଦାମୂଳକ ବିଭାଗର ୧୦ଟି ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏଥିରେ ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୨ ଘଣ୍ଟା ଅବଧି ରହିଛି।
ଯୁକ୍ତ ପରୀକ୍ଷାରେ ସ୍ଵଚ୍ଛତା ଆଣିବା ଦିଗରେ ସିଏଚଏସଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜାନୁଆରି ୨୫ ତାରିଖ ମଧ୍ୟରେ ଯୁକ୍ତ ୨ ଇଣ୍ଟରନାଲ ଆସେସମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍ସ ପୋର୍ଟାଲରେ ଦାଖଲ କରିବାକୁ ସବୁ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଫେବ୍ରୁଆରି ୧୮ ତାରିଖରୁ ଯୁକ୍ତ ୨ ମୁଖ୍ୟ ପରୀକ୍ଷା ଆରମ୍ଭ ହେବ।
Tags: #PlusTwoExam #Practical #Examination #Education #CHSE #Odisha