ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ରାଜଭବନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଓଡ଼ିଶାର ୨୭ତମ ରାଜ୍ୟପାଳ ହୋଇଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କ ସମେତ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଯୋଗ ଦେଇଥିଲେ।
ଡକ୍ଟର ହରିବାବୁ କମ୍ଭମପତି ଗୁରୁବାର ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏଠାରୁ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ପୁରୀ ରାଜଭବନରେ ରାତ୍ରିଯାପନ କରିବା ପରେ ଶୁକ୍ରବାର ସକାଳେ ଭୁବନେଶ୍ଵର ଅଭିମୁଖେ ବାହାରିଥିଲେ।
ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଇସ୍ତଫା ଦେଇଥିଲେ ରଘୁବର ଦାସ। ଏହାପରେ ଡକ୍ଟର ହରିବାବୁ କମ୍ଭମପତି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ।
Tags: #DrHaribabuKambhampati #Governor #Odisha #India