ଓଡ଼ିଶାଲାଇଭ୍ ବ୍ୟୁରୋ
- ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା
- ୨ରୁ ୩ ଡିଗ୍ରୀ ବଢ଼ିପାରେ ରାତି ତାପମାତ୍ରା
- ୫ରୁ ୬ ଦିନ ଯାଏଁ ପାଗ ରହିବ ଶୁଖିଲା
ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା ରହିଛି। ପୁଣି ରାତି ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଗାମୀ ୫ରୁ ୬ ଦିନ ଯାଏଁ ଏଭଳି ପାଗ ଜାରି ରହିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିବ। ଏହାଦ୍ଵାରା ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଘନ କୁହୁଡ଼ି ପାଇଁ କୋରାପୁଟ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ମଙ୍ଗଳବାର ସକାଳ ଯାଏଁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ ଓ ରାୟଗଡ଼ାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ଆଗାମୀ ୫ରୁ ୬ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ସକାଳେ ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Tags: #Weather #Winter #MCBBSR #IMD #Odisha