ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆରମ୍ଭ ହୋଇଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’ ବିଷୟ ବସ୍ତୁକୁ ପ୍ରଥମ ଦିନର ସଭା ଆୟୋଜିତ ହେଉଛି।

ଜାନୁଆରୀ ୮ରୁ ୧୦ ତାରିଖ ଯାଏଁ ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ଅନେକ ଦେଶରୁ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଓ ସତ୍କାର ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧନ କରିଥିଲେ। ସେ ସବୁ ପ୍ରବାସୀ ଭାରତୀୟ ଓ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ସମାରୋହ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସ୍ମରଣୀୟ ଅନୁଭୂତି ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ସେମାନଙ୍କୁ ପୁରୀ, ଭୁବନେଶ୍ଵର, କଟକ ସମେତ ରାଜ୍ୟର ୨୧ଟି ପର୍ଯ୍ୟଟନସ୍ଥଳୀକୁ ବୁଲାଇବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପାଖରୁ ଦେଖିବାରୁ ସୁଯୋଗ ସେମାନେ ପାଇବେ। ଏହି ଅବସରରେ ବିଭିନ୍ନ ଖାଦ୍ୟ ମେଳାରୁ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ, ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହୋତ୍ସବ ଆୟୋଜନ କରାଯାଇଛି। 

Tags: #PravasiBharatiyaDivas #NRI #Odisha #ArtandCulture #Bhubaneswar

Comment