ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଟ୍ ଜିପିଟି ବିକାଶ କରିଥିବା ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏଆଇର ପୂର୍ବତନ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ୨୦୨୪ ନଭେମ୍ବର ୨୬ ତାରିଖରେ ସୁଚିରଙ୍କ ମୃତ୍ୟୁର ଖବରକୁ ନେଇ ବୈଷୟିକ ଜଗତ ସ୍ତବ୍ଧ ହୋଇ ଯାଇଥିଲା। ସାନଫ୍ରନସିସ୍କୋରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରିଥିଲେ। ଏବେ ତାଙ୍କ ପରିବାର ଲୋକେ ଅନେକ ପ୍ରଶ୍ନ ଉଠାଇବା ସହ ତାଙ୍କ ମୃତ୍ୟୁ ସହ ଜଡ଼ିତ ସନ୍ଦେହଜନକ ପରିସ୍ଥିତି ଦର୍ଶାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଭାରତୀୟ ବଂଶୋଦ୍ଭବ ତଥା ଦକ୍ଷ ଇଞ୍ଜିନିୟର ସୁଚିର ବାଲାଜୀ ‘ଓପନ୍ ଏଆଇ’ କମ୍ପାନିର ନୈତିକତା, ବିଶେଷକରି କପିରାଇଟ୍ ଉଲ୍ଲଂଘନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ୨୦୧୮ ମସିହାରେ ଓପନ୍ ଏଆଇରେ ଜଣେ ଇଣ୍ଟର୍ଣ୍ଣ ଭାବରେ ଯୋଗ ଦେଇଥିଲେ ଏବଂ ପରେ ଚାଟଜିପିଟିର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଓପନଏଆଇର ଲାଭ ଭିତ୍ତିକ ମଡେଲ ଏବଂ ନୈତିକ ଅଭ୍ୟାସ ପ୍ରତି ତାଙ୍କର ଅସନ୍ତୋଷ ଯୋଗୁଁ ଅଗଷ୍ଟ ୨୦୨୩ରେ ସେ ଇସ୍ତଫା ଦେଇଥିଲେ।

ପ୍ରାରମ୍ଭିକ ଜୀବନ ଏବଂ କ୍ୟାରିୟର

ବାଲାଜୀଙ୍କ ଅସାଧାରଣ ପ୍ରତିଭା ଶୀଘ୍ର ସାମ୍ନାକୁ ଆସିଥିଲା। ୧୩ ବର୍ଷ ବୟସରେ, ସେ ତାଙ୍କର ପ୍ରଥମ କମ୍ପ୍ୟୁଟର ତିଆରି କରିଥିଲେ ଏବଂ ୧୭ ବର୍ଷ ବୟସରେ ତାଙ୍କୁ କ୍ୱାରା ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ୟୁସି ବର୍କଲେରୁ ସ୍ନାତକ ହାସଲ କରିବା ପରେ, ସେ ପୂର୍ଣ୍ଣକାଳୀନ ଭାବେ ଓପନ୍ ଏଆଇରେ ଯୋଗ ଦେଇଥିଲେ। ବୃତ୍ତିଗତ ସଫଳତା ସତ୍ତ୍ୱେ ବାଲାଜୀ ଏଆଇର ସାମାଜିକ ପ୍ରଭାବ, ବିଶେଷକରି ବୈଷୟିକ ନିର୍ମାତା ଏବଂ ଶିଳ୍ପ ପାଇଁ ଏହାର କ୍ଷତି ବିଷୟରେ ସେ ଚିନ୍ତିତ ଥିଲେ। 

ଗତ ଅକ୍ଟୋବର ମାସରେ ସୁଚିର ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଓପନ୍ ଏଆଇକୁ ସାର୍ବଜନୀନ ସମାଲୋଚନା କରି ଏହାର ଅଭ୍ୟାସକୁ ଅନ୍ୟାୟ ବୋଲି କହିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ଅଣ ଲାଭକାରୀ ସଂସ୍ଥା ପ୍ରତିଷ୍ଠା କରିବାକୁ ମଧ୍ୟ ସେ ନିଜର ଯୋଜନା ପ୍ରକାଶ କରିଥିଲେ।

ସୁଚିର ବାଲାଜୀ ଓପନ୍ ଏଆଇରେ ୪ ବର୍ଷ ଧରି କାମ କରିଥିଲେ। ଚାଟ ଜିପିଟିକୁ ବିକଶିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଓପନ ଏଆଇ ବିରୋଧରେ କରି କପିରାଇଟ ମାଟେରିଆଲ ଉପଯୋଗ କରୁଥିବା ଅଭିଯୋଗ ଆଣିଥିଲେ।

ଅନ୍ତିମ ସମୟ

୨୦୨୪ ନଭେମ୍ବର ୨୧ ତାରିଖରେ ସୁଚିର ବାଲାଜୀ ତାଙ୍କର ୨୬ତମ ଜନ୍ମଦିନ ସାଙ୍ଗମାନଙ୍କ ସହିତ ପାଳନ କରିଥିଲେ। ନଭେମ୍ବର ୨୬ ତାରିଖରେ ତାଙ୍କ ମୃତଦେହ ମିଳିଥିଲା।

ତାଙ୍କ ମା’ ପୂର୍ଣ୍ଣିମା ରାମାରାଓ ନଭେମ୍ବର ୭ ତାରିଖରେ ସେମାନଙ୍କର ଶେଷ କଥାବାର୍ତ୍ତାକୁ ମନେ ପକାଇଛନ୍ତି। ଅନେକ ଦିନ ଧରି ପୁଅ ପାଖରେ ନ ପହଞ୍ଚିବାରୁ ନଭେମ୍ବର ୨୭ ତାରିଖରେ ରାମାରାଓ ପୁଲିସ ସହ ଯୋଗାଯୋଗ କରିଥିଲେ। ଅଧିକାରୀମାନେ ବାଲାଜୀଙ୍କ ମୃତଦେହ ଠାବ କରିବା ପରେ ମୃତ୍ୟୁ ବେଳକୁ ସେ ଏକୁଟିଆ ଥିବା ସ୍ପଷ୍ଟ କରିଥିଲେ।

ବାଲାଜୀଙ୍କ ପିତାମାତା ସରକାରୀ ବିବୃତ୍ତିରେ ବିଶ୍ୱାସ କରୁ ନାହାନ୍ତି ଏବଂ ଏକ ଘରୋଇ ଶବ ବ୍ୟବଚ୍ଛେଦ ଆରମ୍ଭ କରିଥିଲେ ଯାହାର ‘ଅସ୍ୱାଭାବିକ’ ଫଳାଫଳ ମିଳିଥିଲା ଏହାପରେ ଏହି ଘଟଣାର ପୁନଃ ତଦନ୍ତ ପାଇଁ ତାଙ୍କ ପରିବାର ଏବେ ଆମେରିକାର ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଛନ୍ତି।

ପରିବାରର ଦୁଃଖ

ବାଲାଜୀଙ୍କ ପିତାମାତା ତାଙ୍କୁ ଜଣେ ଦୟାଳୁ ଏବଂ ଦୃଢ଼ ସଂକଳ୍ପବଦ୍ଧ ବ୍ୟକ୍ତି ଭାବରେ ଗଢ଼ି ତୋଳିଥିଲେ, ଯିଏ ନିଜ ଭାବନାକୁ ଲୁଚାଇ ରଖୁଥିଲା। ଆର୍ଥିକ ନିରାପତ୍ତା ଏବଂ ମହତ୍ୱାକାଂକ୍ଷୀ ଯୋଜନା ସତ୍ତ୍ୱେ ତାଙ୍କର ହଠାତ୍ ମୃତ୍ୟୁ ସେମାନଙ୍କୁ ଦୁଃଖ ଓ ଅବିଶ୍ୱାସରେ ଭାଙ୍ଗି ଦେଇଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷ‌ରେ ଏକ ବିବୃତ୍ତିରେ ଓପନ୍ ଏଆଇ ବାଲାଜୀଙ୍କୁ ନିଜ ଦଳର ଜଣେ ମୂଲ୍ୟବାନ ସଦସ୍ୟ ବୋଲି କହି ଶୋକ ପ୍ରକାଶ କରିଛି। କମ୍ପାନି ତାଙ୍କ ସମାଲୋଚନାକୁ ସ୍ୱୀକାର କରି କହିଛି, “ଆମେ ତାଙ୍କୁ ଏବଂ ଅନ୍ୟମାନଙ୍କୁ ସମ୍ମାନ କରୁଛୁ”, ମୁକ୍ତ ଭାବରେ ମତ ବ୍ୟକ୍ତ କରିବାର ଅଧିକାର ସମସ୍ତଙ୍କର ରହିଛି। 

Tags: #SuchirBalaji #Death #OpenAI #Allegation #SanFransisco #USA

LEAVE A REPLY

Please enter your comment!
Please enter your name here