ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ତିନିଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ। ପରେ ସେ ପ୍ରବାସୀ ଭାରତୀୟ ଏକଜିବିସନ ବୁଲି ଦେଖିଥିଲେ।

ସମ୍ମିଳନୀର ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଓଡ଼ିଶା ମାଟିରେ ଥିବା ଧଉଳି ସ୍ତୁପ ଶାନ୍ତିର ପ୍ରତୀକ। ଖଣ୍ଡଗିରି, ଉଦୟଗିରି ଏବଂ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ।”

ସେ ଆହୁରି କହିଥିଲେ ୧୦ ବର୍ଷ ମଧ୍ୟରେ ବିଶ୍ଵର ଅନେକ ନେତାଙ୍କ ସହ ତାଙ୍କର ଭେଟ ହୋଇଛି। ସେମାନେ ପ୍ରବାସୀ ଭାରତୀୟମାନଙ୍କର ଖୁବ ପ୍ରଶଂସା କରିଛନ୍ତି। ଭାରତୀୟମାନେ ଯେଉଁଠିକୁ ଗଲେ ମଧ୍ୟ ସେଠାକାର ସାମାଜିକ ଚଳଣି ସହ ନିଜକୁ ଖାପଖୁଆଇ ପାରନ୍ତି। ସେଠାକାର ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି। ବିଦେଶ ମାଟିରେ ଥିଲେ ମଧ୍ୟ ପ୍ରବାସୀଙ୍କ ହୃଦୟ ସବୁବେଳେ ଭାରତ ପାଇଁ ସ୍ପନ୍ଦନ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଦେଶ ମାଟିରେ ଭାରତକୁ ଗର୍ବିତ କରିବାରୁ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଧନ୍ୟବାଦ ବୋଲି କହିଥିଲେ।

ଡିସେମ୍ବର ୮ ତାରିଖରୁ ଭୁବନେଶ୍ଵରରେ ଆୟୋଜିତ ହେଉଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଦିନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’ ବିଷୟ ବସ୍ତୁକୁ ପ୍ରଥମ ଦିନର ସଭା ଆୟୋଜିତ ହୋଇଥିଲା।

ଜାନୁଆରୀ ୮ରୁ ୧୦ ତାରିଖ ଯାଏଁ ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ଅନେକ ଦେଶରୁ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଓ ସତ୍କାର ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧନ କରିଥିଲେ। ସେ ସବୁ ପ୍ରବାସୀ ଭାରତୀୟ ଓ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ସମାରୋହ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସ୍ମରଣୀୟ ଅନୁଭୂତି ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ସେମାନଙ୍କୁ ପୁରୀ, ଭୁବନେଶ୍ଵର, କଟକ ସମେତ ରାଜ୍ୟର ୨୧ଟି ପର୍ଯ୍ୟଟନସ୍ଥଳୀକୁ ବୁଲାଇବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପାଖରୁ ଦେଖିବାରୁ ସୁଯୋଗ ସେମାନେ ପାଇବେ। ଏହି ଅବସରରେ ବିଭିନ୍ନ ଖାଦ୍ୟ ମେଳାରୁ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ, ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହୋତ୍ସବ ଆୟୋଜନ କରାଯାଇଛି। 

ଡିସେମ୍ବର ୧୦ ତାରିଖ ଶୁକ୍ରବାର ଦିନ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Tags: #PravasiBharatiyaDivas #PMNarendraModi #InauguralCeremony #NRI #Odisha #ArtandCulture #Bhubaneswar

LEAVE A REPLY

Please enter your comment!
Please enter your name here