ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନାକୁ ମିଳିଛି ୩ଟି ଶକ୍ତିଶାଳୀ ଯୁଦ୍ଧପୋତ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ୩ଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିଛନ୍ତି। ଏଥିରେ ଆଇଏନଏସ୍ ସୁରଟ, ଆଇଏନଏସ୍ ନୀଳଗିରି ଓ ବୁଡ଼ାଯାହାଜ ଆଇଏନଏସ୍ ବାଘଶିର ନୌସେନାକୁ ମିଳିଛି।
“ଆଜି ଭାରତର ସାମୁଦ୍ରିକ ଐତିହ୍ୟ, ନୌସେନାର ଗୌରବମୟ ଇତିହାସ ପାଇଁ ଏକ ବଡ଼ ଦିନ। ଭାରତୀୟ ନୌସେନାକୁ ସୁଦୃଢ଼ କରିବା ଦିଗରେ ଏହି ୩ଟି ଯୁଦ୍ଧପୋତ ବଡ଼ ଭୂମିକା ଗ୍ରହଣ କରିବ। ଛତ୍ରପତି ଶିବାଜୀ ମହାରାଜ ଭାରତରେ ନୌସେନାକୁ ନୂତନ ଶକ୍ତି ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥିଲେ। ଆଜି ତାଙ୍କରି ଏହି ପବିତ୍ର ଭୂମିରେ, ଆମେ ନୌସେନାକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛୁ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ତେବେ ନୌସେନାରେ ସାମିଲ ହୋଇଥିବା ଆଇଏନଏସ୍ ସୁରଟ ଏକ ଅତ୍ୟାଧୁନିକ ବିଧ୍ଵଂସକ ଯୁଦ୍ଧ ଜାହାଜ। ୭୪୦୦ ଟନ ବିଶିଷ୍ଟ ଆଇଏନଏସ୍ ସୁରଟ ଘଣ୍ଟାପ୍ରତି ୫୬ କିମି ବେଗରେ ସମୁଦ୍ରରେ ଗତି କରିପାରିବ। ଏହା ଥରକରେ ୭୫୦୦ କିଲୋମିଟର ପର୍ଯ୍ୟନ୍ତ ସମଦ୍ରରେ ଯାତ୍ରା କରିପାରିବ। ଏହାସହ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଛି।
ସେହିପରି ଅତ୍ୟାଧୁନିକ କର୍ଭେଟ୍ ଆଇଏନଏସ୍ ନୀଳଗିରି ୬୬୭୦ ଟନ କ୍ଷମତା ବିଶିଷ୍ଟ ଏହି ଯୁଦ୍ଧପୋତ। ଉଭୟ ଆକାଶମାର୍ଗ ଓ ପାଣି ଭିତରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ଏହା ସକ୍ଷମ। ଏଥିରେ ଚେତକ, ସି-କିଙ୍ଗ ଓ ଅତ୍ୟାଧୁନିକ ଏମଏଚ-୬୦ଆର ହେଲିକପ୍ଟର ଅବତରଣ କରିପାରିବ।
ଅନ୍ୟପଟେ ନୌସେନାରେ ସାମିଲ ହୋଇଥିବା ଆଇଏନଏସ୍ ବାଘଶିର ଏକ ଅତ୍ୟାଧୁନିକ ଡିଜେଲ ଇଲେକ୍ଟ୍ରିକ ବୁଡ଼ାଜାହାଜ। ଏହା ନୌସେନାରେ ସାମିଲ ଥିବା ସ୍କୋର୍ପିନ୍ କ୍ଲାସର ଷଷ୍ଠ ବୁଡ଼ାଜାହାଜ। ଏହା ଫ୍ରାନ୍ସର ସହାୟତାରେ ନିର୍ମାଣ କରାଯାଇଛି।
Tags: #IndianNavy #Warships #Destroyers #Submarine #PMNarendraModi #Mumbai