ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ପରଲୋକ ଘଟିଛି। ରବିବାର କଟକ ସ୍ଥିତ ବାସଭବନରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଜଣେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ହେବା ସହ ଜଣେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଥିଲେ।
ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଅନେକ ଲୋକ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଶେଷ ସମୟରେ ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ନିକଟରେ ତାଙ୍କ ପତ୍ନୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର ଇଞ୍ଜିନିୟର ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ସମ୍ରାଟ କର ଏବଂ ପୁତ୍ରବଧୂ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ।
ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ଜନ୍ମ ୧୯୪୬ ମସିହା ଜାନୁଆରି ୧୮ ତାରିଖରେ ହୋଇଥିଲା। ରେଭେନ୍ସା କଲିଜିଏଟ୍ ସ୍କୁଲରୁ ୧୯୬୨ ମସିହାରେ ପାସ୍ କରିବା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିଥିଲେ।
୧୯୬୮ ମସିହାରେ ଏସସିବି ମେଡିକାଲ କଲେଜରୁ ମେଡିକାଲ ଡିଗ୍ରୀ ହାସଲ କରିବାପରେ ସେ ପାଟନାର ପ୍ରିନ୍ସ ଅଫ୍ ୱେଲ୍ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ ବିଷୟରେ ସ୍ନାତକୋତ୍ତର କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ମଧ୍ୟ ଡିଗ୍ରୀ ହାସଲ କରିଥିଲେ।
ଏସସିବି ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଥିବା ସମୟରେ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସେ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି ଦାୟିତ୍ଵ ତୁଲାଇଥିଲେ। ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି।
୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆୱାର୍ଡ ଓ ଏ.ପି. ବର୍ମା ଆରେସନ ଆୱାର୍ଡ ଅନ୍ୟତମ। ତାଙ୍କର ସମାଜସେବା ଏକ ମହାନ୍ ଅବଦାନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ।
Tags: #GopalChandraKar #EminentDoctor #Health #SocialService #Cuttack #Odisha