ଓଡ଼ିଶାଲାଇଭ୍ ବ୍ୟୁରୋ
- ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ
- ସୋମବାର ସକାଳେ ୧୦ ଡିଗ୍ରୀ ତଳେ ୯ ସହର
- ଜି ଉଦୟଗିରିରେ ୪ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା
ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୋମବାର ସକାଳେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆହୁରି ୩ରୁ ୪ ଦିନ ରାଜ୍ୟରେ ଶୀତ ଜାରି ରହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୪ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୪.୯ ଡିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ, ରାଉରକେଲାରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୭.୭ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୯.୩ ଡିଗ୍ରୀ, ସମ୍ବଲପୁରର ଚିପିଲିମାରେ ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାକୁ ଏବେ ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ତାପମାତ୍ରା କମି ଅଧିକ ଥଣ୍ଡା ଅନୁଭୂତ ହେଉଛି।
ଅନ୍ୟପଟେ ମଙ୍ଗଳବାର ସକାଳେ ଘନ କୁହୁଡ଼ି ପାଇଁ କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।
ଏବେ ପଶ୍ଚିମା ଝଡର ପ୍ରଭାବ କମିଥିବାବେଳେ ରାଜ୍ୟରେ ପୁଣି ଶୀତଲହରୀ ଫେରିଛି। ବିଶେଷ କରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Tags: #Weather #Winter #MCBBSR #IMD #Odisha