ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଜଙ୍ଗଲରେ ମଙ୍ଗଳବାର ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର ଏନକାଉଣ୍ଟର ହୋଇଛି। ଓଡ଼ିଶା ଓ ଛତିଶଗଡ଼ ପୋଲିସର ଏହି ମିଳିତ ଅପରେସନରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ ଅନେକ ମାତ୍ରରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ରବିବାର ଅପରାହ୍ଣରେ ଛତିଶଗଡ଼ ପୋଲିସର ଡିଆରଜି ବାହିନୀ, ଓଡ଼ିଶା ପୋଲିସର ଏସଓଜି ବାହିନୀ ଓ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।
କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୧୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।
ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏହାସହ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ଅନ୍ୟ ମାଓବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
Tags: #Police-MaoistEncounter #Maoists #Gariaband #Chhattisgarh #OdishaPolice