ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
କ୍ୟାବିନେଟ୍ ବୈଠକରେ ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ କରାଯାଇଥିଲା। ସବୁ ପ୍ରସ୍ତାବଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ଏଥିରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ କରିବା ସମ୍ପର୍କିତ ଥିଲା।
ଏହି ବୈଠକରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶାକୁ’ କାର୍ଯ୍ୟକ୍ରମକୁ ମଞ୍ଜୁର କରାଯାଇଛି। ଏଥିପାଇଁ ପ୍ରଥମ ବର୍ଷ ବଜେଟ୍ରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପରବର୍ତ୍ତୀ ବର୍ଷମାନଙ୍କରେ ଆବଶ୍ୟକତା ଦେଖି ବ୍ୟୟବରାଦ ବଢ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସେହିପରି ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧୪ଟି ପଞ୍ଚାୟତରେ ଏହା ଆରମ୍ଭ ହେବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକୁ ସାମିଲ କରାଯିବ। ଏଥିପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ। ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ଓଡ଼ିଶା ଡାକ୍ତରୀ ସ୍ଵାସ୍ଥ୍ୟ ସେବା ଆଇନ ୨୦୧୭ର ସଂଶୋଧନକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିରେ ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ଵାରା ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ।
ଅନ୍ୟପଟେ ନୂଆ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ରାଜ୍ୟ ସରକାର। ଏନେଇ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଖର୍ଚ୍ଚ ରାଶିର ୬୦ ପ୍ରତିଶତ ଛାଡ଼ କରାଯିବ। ଏହି ରାଶି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରହିପାରିବ। ସେହିପରି ସାଧାରଣ ବର୍ଗଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ।
ଏହାସହ ଭୁବନେଶ୍ଵରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସ୍ଆଇସି) ସେମିକଣ୍ଡକ୍ଟର ଉତ୍ପାଦନ କରିବା ଲାଗି ଆର୍.ଆଇ.ଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡର ଏକ ସ୍ଵତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ମୋଟ ୬୧୮ କୋଟି ଟଙ୍କା ନିବେଶକୁ ମଞ୍ଜୁର କରାଯାଇଛି।
Tags: #CabinetMeeting #Govtproposals #StateCabinet #CMMohanCharanMajhi #Odisha