ଓଡ଼ିଶାଲାଇଭ୍ ବ୍ୟୁରୋ

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ଠିକ ପୂର୍ବରୁ ଇସ୍ରାଏଲ-ହମାସ ଯୁଦ୍ଧବିରତି ଘୋଷଣା କରିଛନ୍ତି। ମଧ୍ୟପ୍ରାଚ୍ୟକୁ ଫେରି ଆସିଛି ଶାନ୍ତି। ଏହାପରେ ସମସ୍ତଙ୍କ ନଜର ୟୁରୋପ ମହାଦେଶରେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ରହିଛି। ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାରବେଳେ ଏହି ଯୁଦ୍ଧକୁ ବନ୍ଦ କରିଦେବେ ବୋଲି କହିଥିଲେ। ଶପଥ ଗ୍ରହଣ ଅଭିଭାଷଣରେ ବି ଏହି ପ୍ରତିଶ୍ରୁତି ଦୋହରାଇଥିଲେ। ହେଲେ ୟୁକ୍ରେନ ଆଶା ରଖିଛି ଭାରତଠାରୁ। ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ଆଗେଇ ଆସୁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିକଟତମ ସହଯୋଗୀ ମତ ରଖିଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ଏବେ ତୃତୀୟ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ହେଲେ ଯୁଦ୍ଧ ବିଭୀଷିକାରୁ ବାହାରିବା ନେଇ କୌଣସି ସୂଚନା ମିଳୁନି। ଯୁଦ୍ଧ ବନ୍ଦ ପାଇଁ ଏ ଯାଏଁ କୌଣସି ଔପଚାରିକ ଆଲୋଚନା ବି ଆରମ୍ଭ ହୋଇନି। ଏହାରି ମଧ୍ୟରେ ଲାଗି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କିଙ୍କ ନିକଟତମ ସହଯୋଗୀ ତଥା ରାଷ୍ଟ୍ରପତି କାର୍ଯ୍ୟାଳୟର ପ୍ରମୁଖ ଯୁଦ୍ଧ ବନ୍ଦ କରିବା ଲାଗି ମଧ୍ୟସ୍ଥତା କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।   

“ଭାରତ ଆଜିର ସମୟରେ ଏକ ଗ୍ଲୋବାଲ ଲିଡର ଭାବେ ଉଭା ହୋଇଛି। ବିଶ୍ୱସ୍ତରରେ ଭାରତର ଯେଉଁ ପ୍ରଭାବ ରହିଛି ଚାହିଁଲେ ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିବ। ଯଦିଓ ଏଥିରେ ଆମେରିକାର ଟ୍ରମ୍ପ ପ୍ରଶାସନର ଆଗରେ ରହିବ, ତେବେ ଭାରତର ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ”, କହିଛନ୍ତି ଆନ୍ଦ୍ରେଇ ୟରମାକ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଯୁଦ୍ଧ ବନ୍ଦ ନେଇ ରାଷ୍ଟପତି ଟ୍ରମ୍ପଙ୍କ ସକାରାତ୍ମକ ଆଭିମୁଖ୍ୟ ଦେଖୁଛୁ । ଆମେ ଆମେରିକାର ନୂଆ ସରକାରଙ୍କ ସାଙ୍ଗରେ ଏ ନେଇ ଆଲୋଚନା କରିବା ଉପରେ ବିଚାର କରୁଛୁ। ୟୁକ୍ରେନ ଏହି ଦିଗରେ କାମ କରିବା ଆରମ୍ଭ କରିବ।”

ୟୁକ୍ରେନ ଆଶା ରଖିଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶ ଯୁଦ୍ଧ ବନ୍ଦ କରାଇବାରେ ସେମାନଙ୍କର ଭୂମିକା ନିଭାଇବେ। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ଭାରତର ଉପସ୍ଥିତି ଏ କ୍ଷେତ୍ରରେ ବଡ଼ ଭୂମିକା ରହିବ ବୋଲି ଆନ୍ଦ୍ରେଇ ୟରମାକ ଆଶାବ୍ୟକ୍ତ କରିଛନ୍ତି।

Tags: #Russia-UkraineWar #CeaseFireAgreement #AndriyYermak #India

LEAVE A REPLY

Please enter your comment!
Please enter your name here