ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ନିକଟରେ ଜାନୁଆରି ୨୧ ତାରିଖ ରାତିରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ହୋଇଥିଲା। ଏହି ମାମଲାରେ ଶନିବାର ଦିନ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରିପଦା ସଦର ଥାନା ପୋଲିସ।

ପୋଲିସ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସୁନା ଅଳଙ୍କାର, ମୋବାଇଲ, ଗାଡ଼ି ଓ ଟଙ୍କା ଜବତ କରିଛି। ଏ ନେଇ ବାରିପଦା ଏସଡିପିଓ ସୂଚନା ଦେଇଛନ୍ତି।

୨୧ ତାରିଖ ବିଳମ୍ବିତ ରାତିରେ ବାରିପଦା ଅଞ୍ଚଳର ଜଣେ ସୁନା ବ୍ୟବସାୟୀ ଏକ କାର ଯୋଗେ କୋଲକାତା ଯାଉଥିଲେ। ଏହି ସମୟରେ ମଞ୍ଚାବନ୍ଧା ନିକଟରେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବ୍ୟବସାୟୀଙ୍କ ନିକଟରେ ଥିବା ୨ ଲକ୍ଷ ଟଙ୍କା ଏବଂ ୧୧୦ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର, ଦାମୀ ଘଣ୍ଟା ଓ ମୋବାଇଲ ଛଡ଼ାଇ ନେଇଥିଲେ।

ଏ ନେଇ ସମ୍ପୃକ୍ତ ବ୍ୟବସାୟୀ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବ୍ୟବସାୟୀ ଜଣକ ଯାଉଥିବା ଭଡ଼ା ଗାଡ଼ିର ଡ୍ରାଇଭର ଏହି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ।

ଡ୍ରାଇଭରକୁ ପଚରା ଉଚରା କରାଯିବା ପରେ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ପୋଲିସ। ପରେ ଏହି ଲୁଟ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କାର ଡ୍ରାଇଭର ସଞ୍ଜୀବ ସାହୁ, ବିବେକ ବେହେରା, ଅନୁଭବ କର ଓ ଜୟଦେବ ଦାସ।

TagsL: #RobberyCase #FourPersonsArrested #Baripada #Mayurbhanj

LEAVE A REPLY

Please enter your comment!
Please enter your name here