ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ବୁଧବାର ଦିନ ପୂରିଲା ଦୁଇବର୍ଷ। ହେଲେ ଏହି ହତ୍ୟାକାଣ୍ଡକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ହଟିପାରୁନି ପରଦା।
ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପାଳକୃଷ୍ଣ ଦାସ ଗିରଫ ହୋଇ ଏବେ ଜେଲ ହାଜତରେ। ତେବେ କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲେ ତାକୁ ନେଇ ସ୍ପଷ୍ଟ ହୋଇପାରୁନି ଚିତ୍ର। ରାଜନୈତିକ ଷଡ଼ଯନ୍ତ୍ର ନା ବ୍ୟବସାୟିକ ଶତ୍ରୁତା, କେଉଁ କାରଣରୁ ଗଲା ନବ ଦାସଙ୍କ ଜୀବନ?
ହତ୍ୟାକାଣ୍ଡର ଦୁଇବର୍ଷ ପରେ ବି ଖୋଲୁନି ନବ ଦାସ ହତ୍ୟାକାଣ୍ଡର ରହସ୍ୟ। ଏହାରି ମଧ୍ୟରେ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, “ସିବିଆଇ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦାବି କରିବୁ, ଏ ନେଇ ଚିଠି ପ୍ରସ୍ତୁତ କରୁଛୁ, ଶୀଘ୍ର ପ୍ରଦାନ କରାଯିବ।”
ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ସିବିଆଇ ତଦନ୍ତ କରାଗଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମତ ରଖିଥିଲେ।
ଏ ପଟେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଵର୍ଗତ ନବ ଦାସଙ୍କ ପରିବାର ପକ୍ଷରୁ ଲିଖିତ ଆକାରରେ ଜଣାଇବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିକଟରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ।
ନବ କିଶୋର ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ଵ ସିବିଆଇକୁ ଦେବା ଲାଗି ଆଶା ବ୍ୟକ୍ତ କରିଛନ୍ତି ଦୀପାଳି ଦାସ।
ଗତ ଜନୁଆରି ୨୯ ତାରିଖ, ଆଜିର ଦିନରେ ସେତେବେଳେ ସ୍ଵାସ୍ଥ୍ୟମନ୍ତ୍ରୀ ଥିବା ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ। ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ହତ୍ୟାର ଶିକାର ହୋଇଥିଲେ ସେ। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପାଳ ଦାସ ଗିରଫ ହୋଇ ଏବେ ଜେଲ ହାଜତରେ।
Tags: #OdishaPolitics #NabaKishorDas #Death #Murder #GopalKrishnaDas #CBIInvestigation #Crime