ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଛି ବଡ଼ ଅଘଟଣ। ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ବୁଧବାର ଦିନ ଅମୃତସ୍ନାନ ବନ୍ଦ ରହିଛି।

ବୁଧବାର ଦିନ ମୌନୀ ଅମାବାସ୍ୟାରେ ଅମୃତସ୍ନାନ ପାଇଁ କୋଟି କୋଟି ଲୋକଙ୍କର ସମାଗମ ହୋଇଥିଲା। ଅସମ୍ଭାଳ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦଳାଚକଟାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହାକୁମ୍ଭ ମେଳାରେ ବୁଧବାର ସକାଳେ ହଠାତ ଶ୍ରଦ୍ଧାଳୁମାନଙ୍କର ସଂଖ୍ୟା ବଢ଼ିଯାଇଥିଲା। ଅମୃତ ସ୍ନାନ ପାଇଁ ୪୫ଟି ଘାଟ ହୋଇଥିଲେ ହେଁ ମୁଖ୍ୟ ସଙ୍ଗମରେ ସ୍ନାନ କରିବା ପାଇଁ ଶ୍ରଦ୍ଧାଳୁମାନେ ଅଡ଼ି ବସିଥିଲେ। ତେଣୁ ଗୋଟିଏ ସ୍ଥାନରେ ଭିଡ଼ି ଆଶାତିତ ଭାବେ ବଢ଼ିଯାଇଥିଲା। ସମସ୍ତେ ପରସ୍ପରକୁ ଠେଲାପେଲା କରି ଆଗକୁ ଯିବାକୁ ଚାହିଁଥିଲେ।

ପ୍ରବଳ ଭିଡ଼ ଯୋଗୁଁ କିଛି ମହିଳା ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ପରେ ଜଣକ ପରେ ଜଣେ ଟଳି ପଡ଼ିଥିଲେ। ଏହି କାରଣରୁ ବ୍ୟାରିକେଟ ଭାଙ୍ଗି ଯିବାରୁ ଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଦେଖୁ ଦେଖୁ ଦଳାଚକଟା ଆରମ୍ଭ ହୋଇଗଲା। ଦଳଚକଟାରେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଵତନ୍ତ୍ର କରିଡର କରି ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ୧୦ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନେ ଚିକିତ୍ସାଧୀନ ରହିଛନ୍ତି।

ମୌନୀ ଅମାବାସ୍ୟା ଥିବାରୁ ଆଜି ୧୦କୋଟିରୁ ଊର୍ଦ୍ଧ୍ଵ ଶଦ୍ଧାଳୁ ମହାକୁମ୍ଭରେ ଏକାଠି ହୋଇଥିଲେ। ତେଣୁ ସଙ୍ଗମସ୍ଥଳରେ ଏପରି ଦଳାଚକଟା ସ୍ଥିତି ଉପୁଜିଥିଲା। ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ଠିକ ସମୟରେ ସେନାବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳି ନେଇଥିଲେ।

ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ୧୩ ଆଖଡ଼ା ଆଜିର ଅମୃତ ସ୍ନାନକୁ ସାମୟିକ ଭାବେ ରଦ୍ଦ କରି ଦେଇଛନ୍ତି। ଆଖଡ଼ାର ସମସ୍ତ ସାଧୁସନ୍ଥ ନିଜ ନିଜ ଶିବିରକୁ ଫେରି ଆସିଛନ୍ତି। ସେମାଙ୍କ କହିବା କଥା ହେଲା, ଯଦି ସେମାନେ ସ୍ନାନ କରିବା ପାଇଁ ସଙ୍ଗମକୁ ଯାଆନ୍ତି, ତେବେ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖିବା କଷ୍ଟକର ହୋଇପଡ଼ିବ। ଜନହିତକୁ ଦୃଷ୍ଟିରେ ରଖି ସମସ୍ତ ଆଖଡ଼ା ସାମୂହିକ ଭାବେ ଏପରି ନିଷ୍ପତ୍ତି ନେଇ ଥିବା କହିଛନ୍ତି। ମୌନୀ ଅମାବାସ୍ୟାର ଅମୃତ ସ୍ନାନ ବେଳା ରାତି ୯ଟା ୩୦ ଯାଏଁ ରହିଛି। ତେବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଖାଡ଼ା ପରିଷଦ ପକ୍ଷରୁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି।

ଏପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଭଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ଥିତିର ସମୀକ୍ଷା କରିବାକୁ ପୋଲିସ ପ୍ରଶାସନକୁ ନେର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #MahaKumbhamela #Death #Stampede #PrayagRaj #MauniAmavasya

LEAVE A REPLY

Please enter your comment!
Please enter your name here