ଓଡ଼ିଶାଲାଇଭ୍ ବ୍ୟୁରୋ

କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ଭେଦଭାବର ଅନ୍ତ ପାଇଁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଗ୍ଲୋବାଲ ଅପିଲ୍ ୨୦୨୫ କାର୍ଯ୍ୟକ୍ରମ। ଜାନୁଆରି ୩୦ରେ ବିଶ୍ଵ କୁଷ୍ଠ ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

ଗ୍ଲୋବାଲ ଅପିଲ୍ ୨୦୨୫ କାର୍ଯ୍ୟକ୍ରମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ), ସାସାକାୱା ସ୍ୱାସ୍ଥ୍ୟ ସଂଗଠନର ମିଳିତ ଆନୁକୁଲ୍ୟରେ ଆରମ୍ଭ କରାଯାଇଛି। ଏହାକୁ ଭାରତ ସମେତ ୫୬ଟି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମୋଦନ କରିଛନ୍ତି। ଏହାର ଶୁଭାରମ୍ଭ ଅବସରରେ ଭାରତର ଅନେକ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ କୁଷ୍ଠ ନିରାକରଣ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

“ଜଣେ ବ୍ୟକ୍ତିଙ୍କଠାରେ କୁଷ୍ଠ ରୋଗକୁ ଶୀଘ୍ର ଚିହ୍ନଟ କରାଗଲେ, ସେ ଚିକିତ୍ସା ସହ ଏକ ସାଧାରଣ ଜୀବନଯାପନ କରିପାରିବେ। ଲୋକମାନେ କୁଷ୍ଠ ରୋଗର ଲକ୍ଷଣଗୁଡ଼ିକୁ ଚିହ୍ନିବା ବାବଦରେ ସଚେତନ ହେବା ଆବଶ୍ୟକ। କୁଷ୍ଠ ରୋଗଙ୍କ ପ୍ରତି ଭେଦଭାବ ମାନବିକ ଅଧିକାରକୁ ଉଲ୍ଲଂଘନ କରେ। ଏହି ଦିଗରେ ସମସ୍ତଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ”, କହିଛନ୍ତି ଜେ ପି ନଡ୍ଡା।

“୨୦୩୦ ସୁଦ୍ଧା କୁଷ୍ଠ ରୋଗ ଦୂର କରିବା ପାଇଁ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କର ଲକ୍ଷ୍ୟ ରହିଛି। କୁଷ୍ଠ ରୋଗ ଆରୋଗ୍ୟଯୋଗ୍ୟ। କୁଷ୍ଠ ରୋଗରେ ଆକ୍ରାନ୍ତ ଲୋକମାନେ ଏହି ଉଦ୍ଦେଶ୍ୟକୁ ସମର୍ଥନ କରି ଏହାର ପ୍ରବର୍ତ୍ତକ ହେବା ପ୍ରେରଣାଦାୟକ”, କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କୁଷ୍ଠ ରୋଗୀମାନେ ସେମାନଙ୍କ ଅନୁଭୂତି ବଖାଣିଥିଲେ। ଏହାସହ ଏଠାରେ ଜାତୀୟ କୁଷ୍ଠ ରୋଗୀ ନିରାକରଣ କାର୍ଯ୍ୟକ୍ରମର ମାସ୍କଟ ଉନ୍ମୋଚିତ ହୋଇଥିଲା।   

ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ଉପନିର୍ଦ୍ଦେଶକ ଡାକ୍ତର କ୍ଷେତ୍ର ମୋହନ ଗଣ୍ଡ, ଡବ୍ଲୁଏଚଓ ସଦ୍‌ଭାବନା ଦୂତ ୟୋହି ସାସାକାୱା ଏବଂ ସାସାକାୱା ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଡାକ୍ତର ତାକାହାରି ନାନରି ପ୍ରମୁଖ ଯୋଗ ଦେଇଥିଲେ।  

ପ୍ରତିବର୍ଷ ଜାନୁଆରି ୩୦ ତାରିଖକୁ ବିଶ୍ଵ କୁଷ୍ଠ ଦିବସ ଭାବେ ପାଳନ କରାଯାଏ। ଏହି କୁଷ୍ଠ ରୋଗର ନିରାକରଣ ତଥା କୁଷ୍ଠ ରୋଗୀଙ୍କ ପ୍ରତି ଭେଦଭାବ ଦୂର କରିବା ପାଇଁ ଏହି ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥାଏ। ଏଥର ବିଶ୍ଵ କୁଷ୍ଠ ଦିବସର ଥିମ ରହିଥିଲା ‘ଲେଟ୍ସ ୟୁନାଇଟ୍’।

Tags: #WorldLeprosyDay #GlobalAppeal2025 #leprosy #Health #WHO #Odisha

LEAVE A REPLY

Please enter your comment!
Please enter your name here