ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଭାରତୀୟ ସଂସଦର ବଜେଟ୍ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଶନିବାର ଅଷ୍ଟାଦଶ ଲୋକସଭାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ।   

ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ। ଏଥର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ।

ଫେବ୍ରୁଆରି ୧୩ ତାରିଖ ଯାଏଁ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୧୦ ତାରିଖରୁ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

୨୦୨୫ର ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ବିଲ୍ ଆଣିବା ପାଇଁ ଯୋଜନା ରଖିଛନ୍ତି। ଏଥିରେ ୱାକଫ୍‌ ସଂଶୋଧନ ଭଳି ପୁରୁଣା ବିଲ୍ ସହ ଆଉ କିଛି ନୂଆ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

ବଜେଟ୍‌ ଅଧିବେଶନ ପୂର୍ବରୁ ଗୁରୁବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୬ଟି ରାଜନୈତିକ ଦଳର ୫୨ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

Tags: #UnionBudget2025 #ParliamentBudgetSession #PresidentofIndia #DroupadiMurmu #India

Comment