ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ଏବେ ଶୀତ ଉଭାନ ହେବାସହ ଖରା ବଢ଼ିବାରେ ଲାଗିଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ହାରାହାରି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବ। ଗୁରୁବାର ଝାରସୁଗୁଡ଼ାରେ ସର୍ବାଧିକ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଥିଲା।
ଅନ୍ୟପଟେ ରାଜ୍ୟରେ ଏବେ ତାପମାତ୍ରା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ ସକାଳେ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। ଏନେଇ ରାଜ୍ୟର ୯ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ସବୁ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସାମିଲ ରହିଛି।
Tags: #Waether #TemparatureRise #Summer #MCBBSR #Odisha