ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ ସହରରୁ ଅଧିକ ବନ୍ଦେ ଭାରତ ଓ ଅନ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ଯୋଜନା ହୋଇଛି। ଏନେଇ ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
“କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟରେ ଗତ ୧୦ ବର୍ଷରେ ୨୦୪୬ କିଲୋମିଟର ନୂଆ ଟ୍ରାକ୍ ନିର୍ମାଣ ହୋଇଛି। ଏବେ ଓଡ଼ିଶାରେ ବର୍ତ୍ତମାନ ୭୮ ହଜାର କୋଟି ଟଙ୍କାର ରେଲୱେ ପ୍ରକଳ୍ପ ନିର୍ମାଣ ଚାଲିଛି। ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟରେ ୫୯ଟି ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି”, କହିଛନ୍ତି ଅଶ୍ୱିନୀ ବୈଷ୍ଣବ।
ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ଏବେ ୧୯୦୦ କିଲୋମିଟରର ଟ୍ରାକରେ କବଚ ସିଷ୍ଟମର କାର୍ଯ୍ୟ ଜାରି ରହିଛି। ଆସନ୍ତା ୬ ବର୍ଷ ମଧ୍ୟରେ ସାରା ଦେଶରେ କବଚ ସିଷ୍ଟମ ଲଗାଇବା କାର୍ଯ୍ୟ ସରିବ।”
ପୂର୍ବ ବଜେଟରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା ମିଳିଥିଲା। ତେବେ ଚଳିତ ବଜେଟରେ ଏଥିରେ ୧୩ କୋଟି ଟଙ୍କାର ବୃଦ୍ଧି ହୋଇଛି।
ସେହିପରି ରାଜ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି। ଚଳିତ ଅନ୍ତରୀଣ ବଜେଟରେ ରେଳ ବିଭାଗ ପାଇଁ ମୋଟ ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
Tags: #Budget2025 #RailwaySector #Odisha #AshwiniVaishnaw #MinistryofRailways #India