ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2025/02/Celebrity-Cricket-League-1024x829.jpeg)
ଓଡ଼ିଶାକୁ ପୁଣି ଫେରିବାକୁ ଯାଉଛି ସେଲିବ୍ରେଟି କ୍ରିକେଟ ଲିଗ୍ (ସିସିଏଲ୍)। କ୍ରିକେଟ ପଡ଼ିଆରେ ଦମ୍ ଦେଖାଇବେ ଦେଶର ସିନେ ତାରକା। ଫେବ୍ରୁଆରି ୧୬ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ।
ପ୍ରଥମ ମ୍ୟାଚରେ ‘ପଞ୍ଜାବ ଦେ ଶେର’ ଓ ‘ଭୋଜପୁରୀ ଦବଙ୍ଗ’ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର ମଧ୍ୟରେ ଖେଳାଯିବ।
ତେବେ ଆଗାମୀ ସିସିଏଲ୍ ସିଜିନରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି। ଏଥିପାଇଁ ଫେବ୍ରୁଆରି ୧୬ ତାରିଖ ସକାଳେ ଓଡ଼ିଶାର ଅଭିନେତା ଓ ପୂର୍ବତନ ରଣଜୀ ଟ୍ରଫି ଖେଳାଳିଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ।
୨୦୧୧ ମସିହାରେ ସେଲିବ୍ରେଟି କ୍ରିକେଟ ଲିଗର ଶୁଭାରମ୍ଭ ହୋଇଥିଲା। ବଲିଉଡ ସମେତ ଦେଶର ବିଭିନ୍ନ ଆଞ୍ଚଳିକ ସିନେମା ଇଣ୍ଡଷ୍ଟ୍ରିର ଟିମ୍ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟିମ୍ ମଧ୍ୟରେ ଟି-ଟ୍ୱେଣ୍ଟି ଫର୍ମାଟରେ କ୍ରିକେଟ ମ୍ୟାଚ ଖେଳିଥାନ୍ତି। ସିନେ ଜଗତ ସହ କ୍ରିକେଟର ଏହି ମିଶ୍ରଣ ଅନେକ ଲୋକପ୍ରିୟ ହୋଇପାରିଛି।
ସିସିଏଲରେ ଅଂଶଗ୍ରହଣ କରୁଥିବା ଟିମଗୁଡ଼ିକ ହେଲେ ବେଙ୍ଗଲ ଟାଇଗର୍ସ, ତେଲଗୁ ୱାରିୟର୍ସ, ଭୋଜପୁରୀ ଦବଙ୍ଗସ୍, ଚେନ୍ନାଇ ରାଇନୋସ୍, କର୍ଣ୍ଣାଟକ ବୁଲଡୋଜର୍ସ, କେରଳ ଷ୍ଟ୍ରାଇକର୍ସ, ମୁମ୍ବାଇ ହିରୋସ୍ ଓ ପଞ୍ଜାବ ଦେ ଶେର।
ବର୍ତ୍ତମାନ ସୁଦ୍ଧା ସିସିଏଲର ୧୦ ସିଜନ ଅନୁଷ୍ଠିତ ହୋଇଛି। ଏଥିରୁ ତେଲଗୁ ୱାରିୟର୍ସ ସର୍ବାଧିକ ୪ ଚାମ୍ପିୟନ ହୋଇଛି। ୨୦୧୩-୧୪ ସିଜନରେ କଟକ ବାରବାଟୀ ଷ୍ଟାଡିୟମରେ ସିସିଏଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଅନେକ ବିଶିଷ୍ଟ ବଲିଉଡ ଅଭିନେତା ଏଥିରେ ଅଂଶଗ୍ରହଣ କରିଥିଲେ।
Tags: #CelebrityCricketLeague #CCL #CineStarts #Cricket #BarabatiStadium #Cuttack