ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୫ରୁ ୨୫ ତାରିଖ ଯାଏଁ ଚାଲିବ। ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ମିଳିବ ମାଗଣା ଟିକେଟ୍। ଏନେଇ ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।

ହକିପ୍ରେମୀମାନେ ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ www.ticketgenie.in ରେ ନିଜ ନିଜର ବିବରଣୀ ଦେଇ ଟିକେଟ ବୁକ୍ କରାଇପାରିବେ। ଏହାପରେ ସେମାନଙ୍କ ମେଲ୍ ଆଇଡିକୁ ସମ୍ପୃକ୍ତ ମ୍ୟାଚର ଟିକେଟ୍ ଆସିବ। ଏହାକୁ ଆଉ ଅଫଲାଇନରେ ରିଡିମ୍ କରିବାକୁ ପଡ଼ିବନାହିଁ।

“ଭୁବନେଶ୍ୱରରେ ଏଫଆଇଏଚ୍ ପ୍ରୋ ଲିଗ୍ ଆୟୋଜନ ହେବା ଆମ ପାଇଁ ଗର୍ବର ବିଷୟ। ଲୋକଙ୍କ ମଧ୍ୟରେ ହକିର ଲୋକପ୍ରିୟତାକୁ ଆହୁରଇ ବଢ଼ାଇବା ପାଇଁ ଆମେ ଏହି ଟୁର୍ଣ୍ଣାମେଣ୍ଟରେ ମାଗଣା ଟିକେଟର ବ୍ୟବସ୍ଥା କରିଛୁ। ଏହାଦ୍ଵାରା ଷ୍ଟାଡିୟମରେ ପ୍ରଶଂସକଙ୍କ ଏକ ଉତ୍ସାହପୂର୍ଣ୍ଣ ମାହୋଲ ରହିବ ବୋଲି ଆମେ ଆଶା କରୁଛୁ”, କହିଛନ୍ତି ହକି ଇଣ୍ଡିଆର ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ଭୁବନେଶ୍ୱରରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ଇଂଲଣ୍ଡ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ ଏବଂ ଭାରତର ପୁରୁଷ ଦଳ ଅଂଶଗ୍ରହଣ କରିବେ। ସେହିପରି ଏହାର ମହିଳା ଟୁର୍ଣ୍ଣାମେଣ୍ଟରେ ଜର୍ମାନୀ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ସ୍ପେନ୍ ଏବଂ ଭାରତ ପ୍ରତିଦ୍ଵନ୍ଦ୍ଵିତା କରିବେ। ଟୁର୍ଣ୍ଣାମେଣ୍ଟର ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହିତ ୨ ଥର ମୁହାଁମୁହିଁ ହେବେ।

ଭାରତୀୟ ମହିଳା ହକି ଦଳ ଫେବ୍ରୁଆରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳି ନିଜର ଅଭିଯାନ ଆରମ୍ଭ କରିବ। ଏହାପରେ ସେହି ଦିନ ପୁରୁଷ ଦଳ ସ୍ପେନ୍ ସହିତ ମୁହାଁମୁହିଁ ହେବ।

Tags: #FIHProLeague #Hockey #FreeTickets #KalingaStadium #HockeyIndia #Bhubaneswar

Comment