ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ଫେବ୍ରୁଆରି ୮ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏହା ପୂର୍ବରୁ ନିର୍ବାଚନ ଏକଜିଟ୍ ପୋଲ ପ୍ରକାଶ ପାଇଛି। ଅଧିକାଂଶ ସଂସ୍ଥାର ଏକଜିଟ୍ ପୋଲରେ ଦିଲ୍ଲୀରେ ବିଜେପିକୁ ବହୁମତ ମିଳିବ ବୋଲି ଅନୁମାନ କରାଯାଇଛି।
ଦିଲ୍ଲୀ ବିଧାନସଭାରେ ୭୦ଟି ଆସନ ଥିବାବେଳେ ମ୍ୟାଜିକ ନମ୍ବର ହେଉଛି ୩୬। ମାଟ୍ରିଜ୍, ଚାଣକ୍ୟ ଏବଂ ପି-ମାର୍କ ସମେତ ଏକାଧିକ ସଂସ୍ଥାର ଏକଜିଟ୍ ପୋଲରେ ବିଜେପି ସରକାର ଗଠନ କରିବ ବୋଲି ଆକଳନ କରିଛନ୍ତି। ଦିଲ୍ଲୀରେ ୨୦୧୫ ଓ ୨୦୨୦ ମସିହା ନିର୍ବାଚନରେ ୬୦ରୁ ଅଧିକ ଆସନ ଜିତିଥିବା ଆମ ଆଦମୀ ପାର୍ଟିକୁ ଏଥର ବଡ଼ କ୍ଷତି ହେବ ବୋଲି ଏକଜିଟ୍ ପୋଲରେ ଅନୁମାନ କରାଯାଇଛି।
ମାର୍ଟିଜ୍ ଏକଜିଟ୍ ପୋଲ ଅନୁସାରେ ବିଜେପିକୁ ଦିଲ୍ଲୀରେ ୩୫ରୁ ୪୦ଟି ଆସନ, ଆମ ଆଦମୀ ପାର୍ଟିକୁ ୩୨ରୁ ୩୭ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଚାଣକ୍ୟ ଷ୍ଟ୍ରାଟେଜିସ୍ ଏକଜିଟ୍ ପୋଲ ଅନୁସାରେ ବିଜେପି ୩୯ରୁ ୪୪ଟି ଆସନ, ଆମ ଆଦମୀ ପାର୍ଟିକୁ ୨୫ରୁ ୨୮ଟି ଆସନ ଏବଂ କଂଗ୍ରେସ ୨ରୁ ୩ ଆସନ ମିଳିବାର ସମ୍ଭାବନା ରହିଛି।
ସେହିପରି ପି-ମାର୍କ ଏକଜିଟ୍ ପୋଲରେ ବିଜେପି ୩୯ରୁ ୪୯, ଆମ ଆଦମୀ ପାର୍ଟିକୁ ୨୧ରୁ ୩୧ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଆକଳନ କରାଯାଇଛି। ଟାଇମ୍ସ ନାଓ ଏକଜିଟ୍ ପୋଲ ଅନୁସାରେ ବିଜେପିକୁ ୩୯ରୁ ୪୫ଟି ଆସନ, ଆମ ଆଦମୀ ପାର୍ଟିକୁ ୨୨ରୁ ୩୧ଟି ଆସନ ଏବଂ କଂଗ୍ରେସକୁ ୨ଟି ଆସନ ମିଳିବାର ସମ୍ଭାବନା ରହିଛି।
Tags: #DelhiAssemblyElections #ExitPolls #BJP #AAP #Congress #Politics #India


















