ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଫେବ୍ରୁଆରି ୨୧ ତାରିଖରୁ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ। ଏ ନେଇ ଗୁରୁବାର ଦିନ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ୩୦ ମିନିଟରେ ସରିବ। ଏହା ପୂର୍ବରୁ ସକାଳ ୭ଟା ୩୦ରୁ ୮ଟା ୩୦ ମିନିଟ ମଧ୍ୟରେ ନୋଡାଲ ସେଣ୍ଟରରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବ।

ସମସ୍ତ ୩୦ଟି ଜିଲ୍ଲାରେ ୩,୧୩୩ ପରୀକ୍ଷା କେନ୍ଦ୍ର ଏବଂ ୩୧୪ଟି ନୋଡାଲ ସେଣ୍ଟର ହେବ। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଉଭୟ ଅନଲାଇନ ଓ ଅଫଲାଇନରେ ଆଡମିଟ କାର୍ଡ ପାଇପରିବେ ଛାତ୍ରଛାତ୍ରୀ। ଫେବ୍ରୁଆରି ୧୦ରୁ ବୋର୍ଡ ଓ୍ଵେବ ସାଇଟରେ ଆଡମିଟ କାର୍ଡ ଉପଲବ୍ଧ ରହିବ।

ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ଏବଂ ୬୦୦ କେନ୍ଦ୍ରରେ ଲାଇଟ ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି।

ଚଳିତ ଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ଜଣାପଡ଼ିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷାପରିଷଦ ସଭାପତି ଶ୍ରୀକାନ୍ତ ତରାଇ।

ମାଟିକ ପରୀକ୍ଷା ସରିବା ପରେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ। ପ୍ରାୟ ୧୩ ଦିନ ଧରି ଖାତାଦେଖା ଚାଲିବ ଏବଂ ଏହାପରେ ଫଳାଫଳ ପ୍ରକାଶ କରାଯିବ ବୋଲି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ପରୀକ୍ଷା ସୂଚୀ

  • ପେବ୍ରୁଆରି ୨୧ – ସାହିତ୍ୟ
  • ପେବ୍ରୁଆରି ୨୪ – ଇଂରାଜୀ
  • ପେବ୍ରୁଆରି ୨୭ – ଗଣିତ
  • ମାର୍ଚ୍ଚ ୧ – ବିଜ୍ଞାନ
  • ମାର୍ଚ୍ଚ ୩ – ସାମାଜିକ ବିଜ୍ଞାନ
  • ମାର୍ଚ୍ଚ ୬ – ହିନ୍ଦୀ/ସଂସ୍କୃତ (ତୃତୀୟ ଭାଷା)

Tags: #MatricExam #Education #Students #Examination #BSE #Odisha

LEAVE A REPLY

Please enter your comment!
Please enter your name here