ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଶିବିରରେ ଯୋଗଦେଇ ୫୭୪ଟି ଅଭିଯୋଗର ଶୁଣାଣି କରିଥିଲେ।
ବାରିପଦା ପୌରାଞ୍ଚଳର ବିଭିନ୍ନ ୱାର୍ଡ ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ସମସ୍ୟାର ସମାଧାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଏକ ଅଭିଯୋଗର ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ହେମକାନ୍ତ ସାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡକ୍ଟର କୃପାସିନ୍ଧୁ ପରିଡ଼ା, ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ ଏବଂ ଓ ଏସ ଡି ରଜନୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।
ଶିବିରରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ପାଇଁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।
Tags: #PublicGrievanceMeeting #Baripada #Murbhanj #MinisterDrKrushnaChandraMohapatra #Odisha