ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଆଗତ କରାଯାଇଥିଲା। ସବୁ ପ୍ରସ୍ତାବଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ଏଥିରେ ଗୋଟିଏ ପ୍ରସ୍ତାବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ କରିବା ସମ୍ପର୍କିତ ଥିଲା।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଗରିବ ଲୋକମାନଙ୍କୁ ପକ୍କା ଘର ଯୋଗାଇବା ପାଇଁ ଅନ୍ତୋଦୟ ଗୃହ ଯୋଜନା ଲାଗୁ କରାଯିବ। ଏହି ଯୋଜନାରେ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ୨୫ ହଜାର ନୂଆ ପକ୍କା ଘର ମଞ୍ଜୁର କରାଯିବ। ଏଥିପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ କରାଯିବ।

ରାଜ୍ୟରେ ସବୁଜ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ପ୍ରଣୟନ ହୋଇଛି। ଏହି ନୀତିରେ ଚିହ୍ନଟ ହୋଇଥିବା ପରିଚାଳନାଗତ ଅସୁବିଧାକୁ ଦୃଷ୍ଟିରେ ରଖି ଏଥିରେ ସଂଶୋଧନ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ ହୋଇଛି।

ସେହିପରି ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ନିୟମ, ୧୯୫୨ ଏବଂ ଓଡ଼ିଶା ଜିଲ୍ଲା ତଥା ସିଭିଲ୍ କୋର୍ଟର ଜୁଡିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮କୁ ସଂଶୋଧନ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି।    

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫୁଟବଲ, କ୍ରିକେଟ, ଆଥ୍‌ଲେଟିକ୍ସ ଓ ଅନ୍ୟାନ୍ୟ ଖେଳର ସୁବିଧା ପାଇଁ ଆସନ୍ତା ୫ ବର୍ଷରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅନେକ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।  

ସେହିପରି ରାଜ୍ୟରେ ଏକୀକୃତ ପେନସନ ଯୋଜନାକୁ ଲାଗୁ ନେଇ କ୍ୟାବିନେଟର ମୋହର ବାଜିଛି। ରାଜ୍ୟରେ ଡ୍ୟାମଗୁଡ଼ିକର ମରାମତି ଏବଂ ଉନ୍ନତିକରଣ ପାଇଁ ୧,୦୬୬ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।

Tags: #CabinetMeeting #Govtproposals #StateCabinet #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here