ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ଲାଗିଛି ବଡ଼ ଝଟକା। ସବୁଠାରୁ ବଡ଼ କଥା ହେଲା ହାରିଗଲେ ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଆପର ଅନ୍ୟତମ ଟାଣୁଆ ନେତା ମନିଷ ସିସୋଦିଆଙ୍କୁ ମଧ୍ୟ ଦେଖିବାକୁ ମିଳିଛି ପରାଜୟର ମୁହଁ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ, କାହିଁକି ହାରିଗଲା ଆପ୍‌?

ଦୀର୍ଘ ୧୦ ବର୍ଷର ଶାସନରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଲା। ଶେଷରେ ବିଜେପିଠାରୁ ହାରିଲା ଆମ ଆଦମୀ ପାର୍ଟି। ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ଏବେ ଦିଲ୍ଲୀରେ ସରକାର ଗଢ଼ିବ ବିଜେପି।

କାହିଁକି ଭରସା ହରାଇଲା ଆପ୍‌?

ପୂର୍ବାରୁ ନିର୍ବାଚନ ସମୟରେ ଦିଲ୍ଲୀବାସୀଙ୍କୁ ଆକର୍ଷଣୀୟ ପ୍ରତିଶ୍ରୁତି ଦେଇ ସରକାର ଗଢ଼ିଥିଲା ଆମ ଆଦମୀ ପାର୍ଟି। ତେବେ ପରବର୍ତ୍ତୀ ସମୟରେ ଅନେକ ପ୍ରତିଶ୍ରୁତି ପୂରଣ ନହେବାରୁ ଏଥର ଆପ୍‌ଠାରୁ ଦିଲ୍ଲୀ ଜନତା ମୁହଁ ଫେରା ନେଇଥିବା ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ରାଜନୀତି ସମୀକ୍ଷକମାନେ କହୁଛନ୍ତି, ଦିଲ୍ଲୀବାସୀଙ୍କ ମୂଳ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲେ ଆପ୍ ସରକାର। ମଦ ଦୁର୍ନୀତି ଦିଲ୍ଲୀରେ ଆପ୍ ହାରିବାର ଆଉ ଏକ ବଡ଼ କାରଣ ବୋଲି ମଧ୍ୟ କୁହାଯାଉଛି।

ଦିନେ ଦିଲ୍ଲୀରୁ ଦୁର୍ନୀତିର ମୂଳପୋଛ କରିବାକୁ ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜେ ଦୁର୍ନୀତିରେ ଛନ୍ଦି ହୋଇଗଲେ। ସରକାରକୁ ଆସିବା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ଵାଲ ଭିଭିଆଇପି ଧାରାକୁ ବନ୍ଦ କରିବାକୁ ଦାବି ଉଠାଇଥିଲେ। ସରକାରକୁ ଆସିବା ପରେ ବଙ୍ଗଳା, ଗାଡ଼ି ଏବଂ ସୁରକ୍ଷା ଆଦି ସୁବିଧା ନେବାକୁ ମନା କରିଥିଲେ। କିନ୍ତୁ ସରକାର ଗଢ଼ିବା ପରେ ତା’ର ଓଲଟା କଥା ଦେଖିବାକୁ ମିଳିଥିଲା ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ବିଭାଜନ ମଧ୍ୟ ଏହି ପରାଜୟର ଏକ କାରଣ ବୋଲି କୁହାଯାଉଛି। ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିଥିଲେ ହୁଏତ ଚିତ୍ର କିଛି ଅଲଗା ହୋଇପାରିଥାନ୍ତି ବୋଲି ଆଲୋଚନା ହେଉଛି। କେବଳ ଏତିକି ନୁହେଁ, ଦିଲ୍ଲୀରେ ମଇଳା ପାଣି ଯୋଗାଣ ଭୋଟରଙ୍କ ମୁଡ ଏଥର ବଦଳାଇ ଦେଇଥିବା କୁହାଯାଉଛି।

ପୂର୍ବରୁ ଅନେକ ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଏଥର ଆମ ଆଦମୀ ପାର୍ଟି ଉପରେ ଭରସା କରିବାକୁ ଭୋଟରମାନେ ଚାହିଁଲେ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #DelhiAssemblyElection2025 #Results #ArvindKejriwal #BJP #AAP #Congress #Politics

LEAVE A REPLY

Please enter your comment!
Please enter your name here