ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ରହିତାଦେଶ ଲାଗିଛି। ଫେବ୍ରୁଆରି ୧ ତାରିଖରେ ଆସିଥିବା ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହା ଉପରେ ଜବାବ ରଖିବାକୁ ହାଇକୋର୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମରେ ରାଜ୍ୟର ସବୁ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ କରିବାକୁ କୁହାଯାଇଥିଲା। ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ ମଧ୍ୟ ଏଥିରେ ହୋଇପାରିବ ବୋଲି ନିର୍ଦ୍ଦେଶ ରହିଥିଲା।

ତେବେ ଏହି ବିଜ୍ଞପ୍ତି ବିରୋଧରେ ଆବେଦନକାରୀ ବିମଳେନ୍ଦୁ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକ ରେରା ଆଇନ୍‌ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

ବୁଧବାର ଶୁଣାଣି ବେଳେ ହାଇକୋର୍ଟ ଆବେଦନକାରୀଙ୍କ ପକ୍ଷ ଶୁଣି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ଏହା ଉପରେ ଜବାବ ରଖିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଫେବ୍ରୁଆରି ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ପୂର୍ବରୁ ରାଜ୍ୟରେ ୨୦୧୭ ମସିହାରେ ରେରା (ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆଇନ ଲାଗୁ ହୋଇଥିଲା। ତେବେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ ପାଇଁ ଲୋକ ଓ ବିଲ୍ଡରମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଉଭୟ ନିୟମର ପ୍ରବଧାନକୁ ନେଇ ରେଜିଷ୍ଟ୍ରେସନ ଅଧିକାରୀମାନଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହେଉଥିଲା। ଏହାର ସମାଧାନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଜ୍ଞପ୍ତି ଜାରି ହୋଇଥିଲା।

Tags: #ApartmentRegistration #Apartments #OAOMAct #RERAAct #OdishaHighCourt #HUDDept #Odisha

Comment