ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମ୍‌ସି) ସ୍ୱାସ୍ଥ୍ୟ ସାମ୍ବାଦିକତା’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଆଇଆଇଏମ୍‌ସି ଢେଙ୍କାନାଳ ଓ ମ୍ୟାଡ୍ସ କମ୍ୟୁନିକେଶନ୍ସର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଇଲେରିଆ ଓ କଳା-ଆଜାର ରୋଗର କାରଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋଚନା ହୋଇଛି।

ଏହି ଅବସରରେ ମ୍ୟାଡ୍ସ କମ୍ୟୁନିକେଶନ୍ସର ନିର୍ଦ୍ଦେଶିକା ଶିବାନୀ ପାଣ୍ଡେ ଗଣମାଧ୍ୟମ କିପରି କାହାଣୀ-କଥନ ମାଧ୍ୟମରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା କରିପାରିବ, ସେନେଇ ଆଲୋକପାତ କରିଥିଲେ। ଏହାସହ ଫାଇଲେରିଆ ରୋଗର ବିଭିନ୍ନ ଦିଗ, ଏହାର ନିରାକରଣ ପାଇଁ ସରକାରୀ ସ୍ତରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ଫାଇଲେରିଆ ଉପରେ ଶିବାନୀ ପାଣ୍ଡେଙ୍କ ଦ୍ୱାରା ନିର୍ମିତ ଦୁଇଟି ବୃତ୍ତଚିତ୍ର ଏବଂ ଗୋଟିଏ ଆନିମେଶନ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେହିପରି ପିସିଆଇ ଇଣ୍ଡିଆ ବେସରକାରୀ ସଂଗଠନର ପ୍ରଖର ସକ୍ସେନା ଫାଇଲେରିଆ ନିରାକରଣ ଦିଗରେ ଗୋଷ୍ଠୀସମୂହର ଭୂମିକା ଓ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।

ଅନ୍ୟପଟେ ଗ୍ଲୋବାଲ୍ ହେଲ୍‌ଥ ଷ୍ଟ୍ରାଟେଜି ସଂଗଠନର ବିରାଜ ଗୌର ପ୍ରଭାବଶାଳୀ ଯୋଗାଯୋଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଫାଇଲେରିଆ ନିରାକରଣ ଦିଗରେ ଗଣମାଧ୍ୟମର ସହଯୋଗ ଓ ଏଥିପାଇଁ ପ୍ରଭାବଶାଳୀ ଯୋଗାଯୋଗ କୌଶଳକୁ ଆପଣାଇବାକୁ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଫାଇଲେରିଆ ରୋଗ ଉପରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଇଂରାଜୀ ସାମ୍ବାଦିକତା ବିଭାଗର ଦିବାକର କୁମାର ଓ ଉତ୍ପଳ କୁମାର ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଆ ସାମ୍ବାଦିକତା ବିଭାଗର ଆଶୁତୋଷ ମହାପାତ୍ର ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌ସିର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍‌, ଡକ୍ଟର ଚିରସ୍ରୋତା ଜେନା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ୍ ସନତ ପାଢ଼ୀ ଓ ସୌମ୍ୟ ରଞ୍ଜନ ବିହାରାଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Tags: #IIMCDhenkanal #HealthJournalism #Phaleria #Communication #Dhenkanal

LEAVE A REPLY

Please enter your comment!
Please enter your name here