ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ହାରାହାରି ତାପମାତ୍ରା ଏବେ ଅଧିକ ରହୁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁରୁବାର ଦିନ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି। ୩ ଦିନ ପରେ ରାଜ୍ୟରେ ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବ। ବୁଧବାର ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସହ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେହିପରି ଭଦ୍ରକରେ ୩୬.୨ ଡିଗ୍ରୀ, ବଲାଙ୍ଗୀରରେ ୩୬ ଡିଗ୍ରୀ, ଅନୁଗୁଳରେ ୩୫.୭ ଡିଗ୍ରୀ, ଭବାନୀପାଟଣା, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡି ୩୫.୫ ଡିଗ୍ରୀ, ସୋନପୁରରେ ୩୫.୩ ଡିଗ୍ରୀ, ମାଲକାନଗିରି ଓ ବରଗଡ଼ରେ ୩୫.୨ ଡିଗ୍ରୀ ତାପମାତ୍ରା ଛୁଇଁଥିଲା।
ଅନ୍ୟପଟେ ରାଜ୍ୟରେ ଏବେ ତାପମାତ୍ରା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ ସକାଳେ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ୨ ଦିନ ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ପୂର୍ବାନୁମାନ କରାଯାଇଛି।
Tags: #Waether #TemparatureRise #Summer #MCBBSR #Odisha













