ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ୨ଟି ମ୍ୟାଚରେ ମୁହାଁମୁହିଁ ହେବେ ଭାରତର ସିନେ ତାରକା। ଏଥିପାଇଁ ସିସିଏଲ୍ ଟିମ୍ ସବୁ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବାରବାଟୀରେ ଏହି ସିସିଏଲ୍ ମ୍ୟାଚର ଉଦଘାଟନ ହେବ।

ସିସିଏଲ୍ ୨୦୨୫ ସଂସ୍କରଣରେ ବେଙ୍ଗଲ ଟାଇଗର୍ସ ଦଳ କଟକ ବାରବାଟି ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି। ରବିବାର ଅପରାହ୍ଣ ୨ଟାରେ ପ୍ରଥମ ମ୍ୟାଚରେ ‘ପଞ୍ଜାବ ଦେ ଶେର’ ଓ ‘ଭୋଜପୁରୀ ଦବଙ୍ଗ’ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

ତେବେ ଆଗାମୀ ସିସିଏଲ୍ ସିଜିନରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି। ଏଥିପାଇଁ ରବିବାର ସକାଳେ ଏକ ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଆ ସେଲିବ୍ରିଟି ଦଳ ଭାଗ ନେବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ଵରେ ଗଠନ କରାଯାଇଛି। ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

ଏହି ଟିମ୍ ସିସିଏଲ୍ ଓଡ଼ିଶା କୋର୍ କମିଟିର ସହ ଭାଗିଦାରୀରେ ରହିଛି। ଅଜୟ ଅଗ୍ରୱାଲ ଏହାର ମୁଖ୍ୟ ସଂଯୋଜକ ରହିଛନ୍ତି। ଡକ୍ଟର ସତ୍ୟବ୍ରତ ମିନକେତନ କମିଟିର ମୁଖ୍ୟ ଆବାହକ, ଗୋଲକ ମହାପାତ୍ର ପରାମର୍ଶଦାତା ଓ ବାସୁଦେବ ଭଟ୍ଟ ଆବାହକ ରହିଛନ୍ତି।  

“ଆମେ ସିସିଏଲକୁ ଓଡ଼ିଶାକୁ ଆଣି ଉତ୍ସାହିତ ଅଛୁ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ବଲିଉଡ ତାରକାଙ୍କୁ ପଡ଼ିଆରେ ଖେଳୁଥିବା ଦେଖିବାର ସୁଯୋଗ ପାଇବେ। ବାରବାଟୀରେ ଏକ ଉତ୍ସାହପୂର୍ଣ୍ଣ ମାହୋଲ ସୃଷ୍ଟି ହେବ”, କହିଛନ୍ତି ସିସିଏଲ୍ ଓଡ଼ିଶାର ଆବାହକ ବାସୁଦେବ ଭଟ୍ଟ।

ୟୁଜେନିକ୍ସ ହେୟାର ସାଇନସେସ୍‌ର ମୁଖ୍ୟ ଡାକ୍ତର ପ୍ରଦୀପ ସେଠି ଏବଂ ଡାକ୍ତର ଆରିକା ବଂଶଲଙ୍କ ସମର୍ଥନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଫେବ୍ରୁଆରି ୮ ତାରିଖରେ ବେଙ୍ଗାଳୁରୁରେ ଏହାର ଚଳିତ ସିଜିନର ଶୁଭାରମ୍ଭ ହୋଇଛି। ଚଳିତ ସିସିଏଲରେ ଅଂଶଗ୍ରହଣ କରୁଥିବା ୭ଟି ଟିମ୍ ହେଲେ ବେଙ୍ଗଲ ଟାଇଗର୍ସ, ତେଲଗୁ ୱାରିୟର୍ସ, ଭୋଜପୁରୀ ଦବଙ୍ଗସ୍, ଚେନ୍ନାଇ ରାଇନୋସ୍, କର୍ଣ୍ଣାଟକ ବୁଲଡୋଜର୍ସ, ମୁମ୍ବାଇ ହିରୋସ୍ ଓ ପଞ୍ଜାବ ଦେ ଶେର।

ବାରବାଟୀରେ ହେବାକୁ ଥିବା ସିସିଏଲ୍ ମୁକାବିଲାରେ ବଲିଉଡ୍‌ ଓ ଦେଶର ଅନ୍ୟ ସିନେ ତାରକା ଏକାଠି ହେବେ। ଏଥିରେ କ୍ରିକେଟ୍, ମନୋରଞ୍ଜନ ଏବଂ ଗ୍ଲାମରର ଏକ ରୋମାଞ୍ଚକର ମିଶ୍ରଣ ସୃଷ୍ଟି ହେବ। ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ ତଥା ଜାନଭି କପୁରଙ୍କ ଭଳି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସିସିଏଲ୍ ୨୦୨୫ର ଟିକେଟ୍‌ ଅନଲାଇନ୍ ଉପଲବ୍ଧ କରାଯାଉଛି। www.ticketginie.comରେ ଲୋକେ ବାରବାଟୀ ମ୍ୟାଚର ଟିକେଟ ହାସଲ କରିପାରିବେ। ଏହାସହ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଅଫଲାଇନ ଟିକେଟ କାଉଣ୍ଟର ଖୋଲା ରହିଛି।

Tags: #CelebrityCricketLeague #CCL #CineStarts #Cricket #BarabatiStadium #Cuttack

LEAVE A REPLY

Please enter your comment!
Please enter your name here