ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସେଲିବ୍ରିଟି କ୍ରିକେଟ ଲିଗ (ସିସିଏଲ୍) ୨୦୨୫। ୧୧ ବର୍ଷ ପରେ ପୁଣି ଫେରିଥିବା ସିସିଏଲକୁ ନେଇ ଚାରିଆଡେ ଦେଖିବାକୁ ମିଳିଥିଲା ଖେଳପ୍ରେମୀଙ୍କ ଉତ୍ସାହ। ଏହି ସିସିଏଲ୍ ମ୍ୟାଚର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ରିକେଟ ମଇଦାନରେ ନିଜର ପ୍ରିୟ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।

ରବିବାର ବାରବାଟୀ ଷ୍ଟାଡିୟମରେ ସିସିଏଲର ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ‘ପଞ୍ଜାବ ଦେ ଶେର’ ଓ ‘ଭୋଜପୁରୀ ଦବଙ୍ଗ’ ମୁହାଁମୁହିଁ ହୋଇଥିଲେ। ଭୋଜପୁରୀ ଦଳକୁ ୧୩ ରନରେ ହରାଇଥିଲା ପଞ୍ଜାବ ଟିମ୍। ସେହିପରି ଦ୍ୱିତୀୟ ମ୍ୟାଚରେ ‘ମୁମ୍ବାଇ ହିରୋସ୍’ ଓ ‘ବେଙ୍ଗଲ ଟାଇଗର୍ସ’ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ମୁମ୍ବାଇ ହିରୋସକୁ ୬ ୱିକେଟରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ବେଙ୍ଗଲ ଟାଇଗର୍ସ।

ରବିବାର ସିସିଏଲ୍ ମ୍ୟାଚ ପୂର୍ବରୁ ଓଡ଼ିଆ ସେଲିବ୍ରିଟିଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସଙ୍କ ନେତୃତ୍ଵରେ ଏଥିରେ ଦୁଇଟି ଦଳ ଖେଳିଥିଲେ। ଏହାସହ ଓଡ଼ିଶାର କିଛି ପୂର୍ବତନ ରଣଜୀ କ୍ରିକେଟର ମଧ୍ୟ ଏହି ମ୍ୟାଚ ଖେଳିଥିଲେ।

ସିସିଏଲ୍ ୨୦୨୫ ସଂସ୍କରଣରେ ବେଙ୍ଗଲ ଟାଇଗର୍ସ ଦଳ କଟକ ବାରବାଟୀ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଥିଲା। ତେବେ ଆଗାମୀ ସିସିଏଲ୍ ସିଜିନରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି।

ବାରବାଟୀରେ ହୋଇଥିବା ଥିବା ସିସିଏଲ୍ ମୁକାବିଲାରେ ବଲିଉଡ୍‌ ଓ ଦେଶର ଅନ୍ୟ ସିନେ ତାରକା ଏକାଠି ହେବେ। ଏଥିରେ କ୍ରିକେଟ୍, ମନୋରଞ୍ଜନ ଏବଂ ଗ୍ଲାମରର ଏକ ରୋମାଞ୍ଚକର ମିଶ୍ରଣ ସୃଷ୍ଟି ହୋଇଥିଲା। ସୋହେଲ ଖାନ, ମନୋଜ ତିୱାରୀ, ଜିଶୁ ସେନଗୁପ୍ତା, ସାକିବ ସଲିମ, ହାର୍ଡି ସାନ୍ଧୁ, ସମୀର କୋଚ୍ଚରଙ୍କ ଭଳି କଳାକାରମାନେ ଏହି ମ୍ୟାଚରେ ଅଂଶଗ୍ରହଣ କରିଥିଲେ।

ୟୁଜେନିକ୍ସ ହେୟାର ସାଇନସେସ୍‌ର ମୁଖ୍ୟ ଡାକ୍ତର ପ୍ରଦୀପ ସେଠି ଏବଂ ଡାକ୍ତର ଆରିକା ବଂଶଲଙ୍କ ସମର୍ଥନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଫେବ୍ରୁଆରି ୮ ତାରିଖରେ ବେଙ୍ଗାଳୁରୁରେ ଏହାର ଚଳିତ ସିଜିନର ଶୁଭାରମ୍ଭ ହୋଇଛି। ଚଳିତ ସିସିଏଲରେ ଅଂଶଗ୍ରହଣ କରୁଥିବା ୭ଟି ଟିମ୍ ହେଲେ ବେଙ୍ଗଲ ଟାଇଗର୍ସ, ତେଲଗୁ ୱାରିୟର୍ସ, ଭୋଜପୁରୀ ଦବଙ୍ଗସ୍, ଚେନ୍ନାଇ ରାଇନୋସ୍, କର୍ଣ୍ଣାଟକ ବୁଲଡୋଜର୍ସ, ମୁମ୍ବାଇ ହିରୋସ୍ ଓ ପଞ୍ଜାବ ଦେ ଶେର।

Tags: #CelebrityCricketLeague #CCL #CineStarts #Cricket #BarabatiStadium #Cuttack

LEAVE A REPLY

Please enter your comment!
Please enter your name here