ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ରିଜ ଆଣ୍ଡ ରୁଫ୍ କମ୍ପାନି ସହ ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସେ ଛନ୍ଦି ହୋଇଛନ୍ତି। ଏନେଇ ମଙ୍ଗଳବାର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସିବିଆଇ ରେଡ୍ ହୋଇଛି। ମାମଲାକୁ ନେଇ ସିବିଆଇର ଟିମ୍ ତାଙ୍କୁ ପଚରାଉଚରା କରୁଛନ୍ତି।

ମଙ୍ଗଳବାର ସକାଳେ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ଘରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଘରକୁ ପଶିବାବେଳେ ବିଷ୍ଣୁପଦ ସେଠୀଙ୍କ ସହ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି। ଏହାପରେ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲେ।

ଡିସେମ୍ବର ୭ ତାରିଖରେ ଭୁବନେଶ୍ଵରର ଏକ ତାରକା ହୋଟେଲ ସମ୍ମୁଖରୁ ବ୍ରିଜ ଆଣ୍ଡ ରୁପ୍ କମ୍ପାନି ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠାରୁ ଟଙ୍କା ନେବାବେଳେ ସିବିଆଇ ହାବୁଡ଼ରେ ପଡ଼ିଥିଲେ। ଚଞ୍ଚଲ ମୁଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ମଧ୍ୟସ୍ତି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ। ଖୋଳତାଡ଼ ବେଳେ ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଯୋଡ଼ି ହୋଇଥିଲା। ଏହା ପରେ ସିବିଆଇ ନିକଟରେ ହାଜର ହେବା ଲାଗି ବିଷ୍ଣୁପଦ ସେଠୀଙ୍କୁ ସମନ କରାଯାଇଥିଲା।

ମାମଲାରେ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା। ପରେ ବିଷ୍ଣୁପଦ ସେଠୀ ମଧ୍ୟ ଦିଲ୍ଲୀରେ ସିବିଆଇ ସମ୍ମୁଖରେ ହଜାର ହୋଇ ନିଜ ବୟାନ ରେକର୍ଡ କରିଥିଲେ।

ଅନ୍ୟପଟେ ଏହି ମାମଲାରେ ତିନି ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଠିକାଦାର ସନ୍ତୋଷ ମହାରଣା ଓ ମଧ୍ୟସ୍ତି ଦେବୀଦତ୍ତ ମହାପାତ୍ରଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲେ। ପରେ ସେମାନଙ୍କୁ ଜାମିନ ମିଳିଥିଲା। ତେବେ ଏହି ମାମଲାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କିଛି ପ୍ରମାଣ ସିବିଆଇ ହାତରେ ଲାଗିଥିବା କୁହାଯାଉଛି।

ତେବେ ଟେଣ୍ଡର ଫିକ୍ସିଂ ଓ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ପୃକ୍ତି ଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ମାମଲାରେ ତାଙ୍କୁ ଜାଣିଶୁଣି ଫସା ଯାଉଥିବା ସେ ଅଭିଯୋଗ କରିଛନ୍ତି।

Tags: #BishnuPadaSethi #CBI #TenderFixingCase #Odisha

LEAVE A REPLY

Please enter your comment!
Please enter your name here