ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଘନେଇବାକୁ ଲାଗିଛି ବିବାଦ। ଘଟଣା କେବଳ ଓଡ଼ିଶାରେ ସୀମିତି ନାହିଁ, ପାଲଟିଲାଣି ଅନ୍ତର୍ଜାତୀୟ ଖବର।

ରବିବାର ବିଳମ୍ବିତ ରାତିରେ କିଟ୍ ହଷ୍ଟେଲରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରୀ ଜଣକ ନେପାଳର। ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଝିଅର ମୃତ ଶରୀରକୁ ନେଇ ନେପାଳ ଫେରିଛନ୍ତି ବାପା ମା’। ନେପାଳର ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ରିମାଣ୍ଡରେ ଯିବେ ଅଭିଯୁକ୍ତ!

କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଗିରଫ ହୋଇଥିବା ଅଭିଯୁକ୍ତ ଅଭିକ ଶ୍ରୀବାସ୍ତବ ଏବେ ଜେଲ ହାଜତରେ। ଦିନକୁ ଦିନ ନେପାଳ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ବଢ଼ୁଥିବାବେଳେ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଖୋଳତାଡ଼ କରିବାକୁ ଯୋଜନା କରୁଛି ଇନଫୋସିଟି ପୋଲିସ।

ଏପଟେ କିଟ୍ ଆନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) ଏବଂ ହଷ୍ଟେଲ ୱାଡେନକୁ ମଧ୍ୟ ଜେରା କରିବ ପୋଲିସ। ଘଟଣାକୁ ନେଇକୁ ତନାଘନା ଜାରି ରହିଛି। ଅଧିକ ତଥ୍ୟ ହାସଲ କରିବାକୁ ମୃତକଙ୍କ ମୋବାଇଲ ଓ ଲାପ୍‌ଟପ୍‌କୁ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି।

ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଜାରି ରହିଥିବା ବିବାଦ ଏବଂ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ବିଧାନସଭା ଗୃହରେ ଘଟଣାକୁ ନେଇ ସମସ୍ତ ଦଳ ସଦସ୍ୟ ଉଦବେଗ ପ୍ରକାଶ କରିବା ସହ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯିବା ସହ ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ଗୃହ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନେପାଳ ଛାତ୍ରଛାତ୍ରୀଙ୍କ ଉପରେ ସ୍ଥାନୀୟ ବ୍ୟକ୍ତିଙ୍କ ଆକ୍ରମଣ ଘଟଣାର ମଧ୍ୟ ଏହି କମିଟି ତଦନ୍ତ କରିବ।

ନେପାଳ ସରକାରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ବିବାଦ ବଢ଼ୁଥିବାବେଳେ ଏହାରି ମଧ୍ୟରେ ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବା ନେପାଳ ଦୁତାବାସର ବୈଦେଶିକ ବ୍ୟାପାର ବିଭାଗର କାଉନ୍‌ସିଲର ସଞ୍ଜୀବ ଦାସ ଶର୍ମାଙ୍କ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍‌ ଫେରି ଆସିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ସ୍ଥିତି ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ମୁହଁ ଖୋଲିରେ ମୃତ ଛାତ୍ରୀଙ୍କ ବାପା

ଉଚ୍ଚ ଶିକ୍ଷା ପାଇଁ ଝିଅ ଦେଶ ଛାଡ଼ି ଆସିଲା, ହେଲେ ଡିଗ୍ରୀ ବଦଳରେ ଘରକୁ ଫେରିଲା ମୃତ ଶରୀର। ବ୍ୟବଚ୍ଛେଦ ପରେ ଝିଅର ମୃତଦେହ ନେପାଳ ନେଇଯିବା ପୂର୍ବରୁ ମୁହଁ ଖୋଲିଥିଲେ ଛାତ୍ରୀଙ୍କ ବାପା। ସେ କହିଥିଲେ, “କିଟ୍ ପକ୍ଷରୁ ନେପାଳରେ ଅନେକ ଥର କାର୍ଯ୍ୟକ୍ରମ କରାଯାଇଛି। କିଟ୍‌ରେ ପଢ଼ିଲେ ଭଲ ସ୍କୋପ୍ ଅଛି ବୋଲି କହିକି ଡାକି ଆଣିଥିଲେ। ପିଲାଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଠାକୁ ଆସିବା ପରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ତାହା ନହେଉ।”

କ’ଣ ଥିଲା ପୂରା ଘଟଣା?

ରବିବାର ରାତିରେ ଉତ୍ସବମୁଖର ଥିଲା କିଟ୍‌ ବିଶ୍ୱବିଦ୍ୟାଳୟ ପରିସର। ସେଲିବ୍ରେସନରେ ବ୍ୟସ୍ତ ଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। ଏହାରି ମଧ୍ୟରେ ଘଟିଥିଲା ଏକ ଅଘଟଣ। ହଷ୍ଟେଲରେ ଜଣେ ନେପାଳ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ଅଶାନ୍ତ ହୋଇପଡ଼ିଥିଲା କିଟ୍ କ୍ୟାମ୍ପସ।

ଛାତ୍ରୀଙ୍କୁ ନ୍ୟାୟ ଏବଂ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି କ୍ୟାମ୍ପସ ପରିସରରେ ଅଡ଼ି ବସିଥିଲେ ନେପାଳ ଛାତ୍ରଛାତ୍ରୀ। ଏହା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇଥିଲେ ନେପାଳ ଛାତ୍ରଛାତ୍ରୀ। ତୁରନ୍ତ କ୍ୟାମ୍ପସ ଛାଡ଼ିବାକୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ପରେ ଜୋର କରି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନରେ ଛାଡ଼ିବା ସହ ସେମାନଙ୍କୁ ନିଜ ନିଜ ଘରକୁ ଚାଲିଯିବାକୁ କୁହାଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ବଢ଼ିଥିଲା କିଟ୍ କର୍ତ୍ତୃପକ୍ଷଙ୍କ ଅଡ଼ୁଆ। ତୁରନ୍ତ ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାରି ମଧ୍ୟରେ ଅନେକ ଛାତ୍ରଛାତ୍ରୀ ନେପାଳ ଫେରିଯାଇଥିବାବେଳେ ଆଉ କିଛି ଷ୍ଟେସନରେ ଅପେକ୍ଷା କରିଥିଲେ।

ନେପାଳ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ, ମୃତ ଛାତ୍ରୀଙ୍କ ସହ ସେହି ବିଶ୍ଵବିଦ୍ୟାଳୟର ଛାତ୍ର ଅଭିକ ଶ୍ରୀବାସ୍ତବଙ୍କର ପ୍ରେମ ସମ୍ପର୍କ ଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ତୁଟି ଯାଇଥିଲା। ଏହା ପରେ ଅଭିକ ଛାତ୍ରୀ ଜଣଙ୍କୁ ଲଗାତର ମାନସିକ ଏବଂ ଶାରୀରିକ ଭାବେ ନିର୍ଯାତନା  ଦେଇଆସୁଥିଲେ। ଏହାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ ଇଣ୍ଟରନ୍ୟାସନାଲ ରିଲେସନ ଅଫିସରଙ୍କୁ ଜଣାଇଥିଲେ

ଦୁଇ ତିନି ଥର ଏହାକୁ ନେଇ ସେ ଅଭିଯୋଗ କରିଥିଲେ ମଧ୍ୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେବେଠାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ମାମଲାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ ନେପାଳ ଛାତ୍ରଛାତ୍ରୀ।

ନେପାଳ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ବିଶ୍ୱରୁ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଭାରତରେ ଥିବା ନେପାଳ ଦୂତାବାସ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରିଛି।

Tags: #NepalStudentProtest #Controversy #StudentDeath #KIITUniversity #Odisha #Suicide

LEAVE A REPLY

Please enter your comment!
Please enter your name here