ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ? ଏନେଇ ଆଜି ବସୁଛି ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ। ଏଠାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ବାଜିବ। ଗୁରୁବାର ଦିଲ୍ଲୀ ରାମଳୀଳା ମଇଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ।

ବୁଧବାର ସନ୍ଧ୍ୟା ୬ଟାରେ ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏଥିରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବ, ବିଜେପି ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଘ୍‌ ଓ ବିଜେପିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।

ଅନ୍ୟପଟେ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।  

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଏହାପରେ ଫେବ୍ରୁଆରି ୮ ତାରିଖରେ ଏହାର ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ବିଜେପି ୪୮ଟି ଆସନ ଜିତି ବହୁମତ ହାସଲ କରିଥିଲା। ଆମ ଅଦାମୀ ପାର୍ଟି ୨୨ଟି ଆସନରେ ସୀମିତ ରହି ଯାଇଥିଲା।

Tags: #DelhiAssemblyElections2025 #DelhiCM #BJP #MLA #Politics #Delhi

LEAVE A REPLY

Please enter your comment!
Please enter your name here