ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ ଯେତେ ଗଡ଼ୁଛି ବିବାଦ ସେତେ ବଢ଼ୁଛି। କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ନେଉନି। ବିଭିନ୍ନ ମହଲାରୁ ଆରମ୍ଭ ହୋଇଛି ବିରୋଧ ଓ ଆନ୍ଦୋଳନ। କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହେଉଛି।
ଏହାରି ମଧ୍ୟରେ ଘଟଣାକୁ ନେଇ ଗୁରୁବାର ଦିନ ବର୍ଷିଛନ୍ତି ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, “କିଟ୍ କ୍ୟାମ୍ପସ ଭିତରେ ଯାହା ଘଟିଲା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ। ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତର୍ଜମା ଚାଲିଛି। ଏହି ଘଟଣାରେ ଯେଉଁମାନେ ଦୋଷୀ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଅନ୍ୟପଟେ ଘଟଣା ସମ୍ପର୍କରେ ସ୍ଵାସ୍ଥ୍ୟ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ ନେପାଳର ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଉବାଙ୍କ ସହ ଆଲୋଚନା କରିବା ସହ ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ନେଇ ସୂର୍ଯ୍ୟବଂଶୀ ସୂରଜ ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍ରେ ରବିବାର ବିଳମ୍ବିତ ରାତିରେ ବିଟେକ୍ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଘଟଣାକୁ ନେଇ ଅନ୍ୟ ନେପାଳ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିବାରୁ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯାଇଥିଲା। ଏହାକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।
ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଲାଗିରହିଥିବା ବିବାଦ ଏବଂ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ଗୃହ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନେପାଳ ଛାତ୍ରଛାତ୍ରୀଙ୍କ ଉପରେ ସ୍ଥାନୀୟ ବ୍ୟକ୍ତିଙ୍କ ଆକ୍ରମଣ ଘଟଣାର ମଧ୍ୟ ଏହି କମିଟି ତଦନ୍ତ କରିବ।
ଏହାରି ମଧ୍ୟରେ ନେପାଳର ଦୁଇ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କୁ ନ୍ୟାୟ ପ୍ରଦାନ ସହ ପୂର୍ବ ଭଳି କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
Tags: #NepalStudentProtest #Controversy #StudentDeath #KIITUniversity #Odisha #Suicide


















