ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦେଶର ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵିଚ୍ ଚିପି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।

ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତିରେ ଭାରତର ୯.୬ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୨ ହଜାର କୋଟି ଟଙ୍କା ପଠାଯାଇଛି। ଏଥିରେ ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ପ୍ରାୟ ୭୦୦ କୋଟି ଟଙ୍କା ମିଳିଛି।

୧୯ ତମ କିସ୍ତି ଜାରି ହେବା ପରେ ପିଏମ୍‌ କିଷାନ ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ସାଢ଼େ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଅକ୍ଟୋବର  ମାସରେ ଯୋଜନାର ୧୮ ତମ କିସ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର।

୨୦୧୯ ମସିହା ଫେବ୍ରୁଆରି ମାସରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଚାଷୀଙ୍କୁ ବର୍ଷକୁ ମୋଟ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ୩ଟି କିସ୍ତିରେ ପ୍ରତି ୪ ମାସ ବ୍ୟବଧାନରେ ସରକାର ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏ ପିଏମ୍ କିଷାନ ରାଶି ପଠାଯାଉଛି।

Tags: #PMKishanScheme #Farmers #Farming #Odisha

Comment