ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଛି ‘ଭୁବନେଶ୍ୱର ସାହିତ୍ୟ ପର୍ବ’। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ କବି, ଲେଖକ ଓ ପ୍ରକାଶକ ଯୋଗ ଦେଇଥିଲେ।
ଶନିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ବୋଧନ ଦେଇ ମାତୃଭାଷାର ବିକାଶ ନିମନ୍ତେ ସାହିତ୍ୟିକମାନଙ୍କର ଗରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଗୁରୁତ୍ଵାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ଓ ସାନ୍ତାଳୀ ସାହିତ୍ୟର ବନ୍ଧୁତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏହାସହ ପ୍ରଫେସର ଯତୀନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସାହିତ୍ୟର ସୃଜନଶୀଳ ଯାତ୍ରା ଉପରେ ମତବ୍ୟକ୍ତ କରିଥିଲେ।
ଏଠାରେ କବି ଡକ୍ଟର ଗୌତମ ଜେନାଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝୀଙ୍କୁ ‘ଦିନନାଥ ପାଠୀ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହ ଅତିଥିମାନଙ୍କ ଦ୍ୱାରା ଶୈଳେନ୍ଦ୍ର କୁମାର ଜେନା, ବିଦ୍ୟୁତ୍ପ୍ରଭା ଗନ୍ତାୟତ, ଅଶୋକ ସିଂ ଓ ସୂର୍ଯ୍ୟ ମିଶ୍ରଙ୍କ ପୁସ୍ତକ ସମେତ ଅନୁଷ୍ଠାନର କବିତା ମୁଖପତ୍ର ‘କବିତା-୨୦୨୪’ ଓ ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଲୋକାର୍ପିତ ହୋଇଥିଲା।
ଭୁବନେଶ୍ୱର ସାହିତ୍ୟ ପର୍ବର ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ବସନ୍ତ କୁମାର ପଣ୍ଡା, ଡକ୍ଟର ସଂଗ୍ରାମ ଜେନା, ଡକ୍ଟର ସଂଘମିତ୍ରା ଭଞ୍ଜ, ଡକ୍ଟର ଶୁଭଶ୍ରୀ ଲେଙ୍କା ଓ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସମତେ ରାଜ୍ୟର ପ୍ରସିଦ୍ଧ ଲେଖକ, କବି, ସାହିତ୍ୟିକ, ସଙ୍ଗୀତଜ୍ଞ, ସମାଜସେବୀ ଓ ସଂସ୍କୃତିପ୍ରେମୀମାନେ ଯୋଗ ଦେଇଥିଲେ।
Tags: #BhubaneswarSahityaParba #LiteraryProgramme #BhubaneswarSahityaSamajTrust #OdiaLanguage #Odisha


















