ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ୍। ଆସନ୍ତା ମାର୍ଚ୍ଚ ୮ ତାରିଖରେ ହିତାଧିକାରୀମାନଙ୍କ ଖାତାକୁ ଯିବ ଦ୍ଵିତୀୟ କିସ୍ତି ଟଙ୍କା। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବ୍ରହ୍ମପୁରଠାରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ଵିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏହି ଯୋଜନାରୁ ଯେପରି କୌଣସି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।
ରାଜ୍ୟର ୯୮ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରୁ ଉପକୃତ ହୋଇସାରିଛନ୍ତି। ଗତ ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାର ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯାଇଥିଲା। ୨୦୨୪ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୯ ଲକ୍ଷ ହିତାଧିକାର ଏହି ଯୋଜନାରୁ ଉପକୃତ ହୋଇଥିଲେ।
ସେହିପରି ତୃତୀୟ ପର୍ଯ୍ୟାୟ ଟଙ୍କା ରାଶି ୨୦୨୪ ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିର ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦୨୫ ମସିହା ଫେବ୍ରୁଆରି ୮ ତାରିଖ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଥିଲା।
ଏନପିସିଆଇ ସମସ୍ୟା ଯୋଗୁଁ ୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନଥିଲା। ତେଣୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Tags: #SubhadraYojana #SecondInstallment #SubhdraBenifit #WomenEmpowerment #Odisha #PravatiParida #OdishaGovt


















