ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଚାଲିଛି ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲା। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଛି ଟିମ୍ ଇଣ୍ଡିଆ। ଏହାର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୬୪ ରନରେ ଅଲଆଉଟ କରିଛି ଭାରତ। ଏବେ ୨୬୫ ରନର ବିଜୟ ଲକ୍ଷ୍ୟ ସହ ମଇଦାନକୁ ଓହ୍ଲାଇଛି ରୋହିତ ବାହିନୀ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଟ୍ରାଭରିସ୍ ହେଡ ଓ କୁପର କନଲି ପାଳି ଆରମ୍ଭ କରିଥିଲେ। ତେବେ ଇନିଂସର ତୃତୀୟ ଓଭରରେ କୁପର କନଲି ବିନା କୌଣସି ରନରେ ଆଉଟ ହୋଇଯାଇଥିଲେ।
ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଧିନାୟକ ସ୍ଟିଭ ସ୍ମିଥ ଓ ଟ୍ରାଭରିସ୍ ହେଡଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ଟ୍ରାଭରିସ୍ ହେଡଙ୍କ ୱିକେଟ ପଡ଼ିବା ପରେ ସ୍ଟିଭ ସ୍ମିଥଙ୍କ ସହ ମରନସ ଲାବୁସେନ ଓ ଜୋସ ଇଂଲିଶ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ।
ତେବେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ଖେଳାଳିଙ୍କୁ ଚାପରେ ପକାଇ ରଖିଥିଲେ। ନିୟମିତ ଅନ୍ତରାଳରେ ସେମାନେ ୱିକେଟ୍ ହାସଲ କରିଥିଲେ। ଶେଷରେ ୫୦ ତମ ଓଭରରେ ୩ଟି ବଲ ବାକି ଥାଇ ଅଷ୍ଟ୍ରେଲିଆ ୨୬୪ ରନରେ ଅଲଆଉଟ ହୋଇଥିଲା।
ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏବେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିଛନ୍ତି।
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ନିଜର ତିନୋଟି ଲିଗ୍ ମ୍ୟାଚ୍ ଜିତି ଗ୍ରୁପ ‘ଏ’ ଟପ୍ କରିଥିଲା। ତେବେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ୍ ସମ୍ପୂର୍ଣ୍ଣ ଖେଳିପାରିଥିଲା। କଙ୍ଗାରୁ ଦଳର ୨ଟି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇଥିଲା। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହାଫଳରେ ଦଳ ମୋଟ ୪ ପଏଣ୍ଟ ପାଇଁ ଗ୍ରୁପ ‘ବି’ରେ ଦ୍ଵିତୀୟ ସ୍ଥାନରେ ରହିଥିଲା।
Tags: #ICCChampionsTrophy2025 #Semifinal #IndiavsAustralia #Cricket #Dubai #Sports