ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି। ଏହାସହ ଭାରତ ପ୍ରଥମ ଦଳ ଭାବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଏଥିରେ ବିରାଟ କୋହଲୀ ଏକ ବଡ଼ ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। 

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଟ୍ରାଭରିସ୍ ହେଡ ଓ କୁପର କନଲି ପାଳି ଆରମ୍ଭ କରିଥିଲେ। ତେବେ ଇନିଂସର ତୃତୀୟ ଓଭରରେ କୁପର କନଲି ବିନା କୌଣସି ରନରେ ଆଉଟ ହୋଇଯାଇଥିଲେ।

ଏହାପରେ ଅଧିନାୟକ ସ୍ଟିଭ ସ୍ମିଥ ଓ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ତେବେ ଭାରତୀୟ ବୋଲରମାନେ ନିୟମିତ ଅନ୍ତରାଳରେ ଅଷ୍ଟ୍ରେଲିଆର ଖେଳାଳିଙ୍କ ୱିକେଟ୍ ହାସଲ କରିଥିଲେ। ଶେଷରେ ୫୦ ତମ ଓଭରରେ ୩ଟି ବଲ ବାକି ଥାଇ ଅଷ୍ଟ୍ରେଲିଆ ୨୬୪ ରନରେ ଅଲଆଉଟ ହୋଇଥିଲା।

ଦ୍ଵିତୀୟ ଇନିଂସରେ ଭାରତ ୨୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୩୦ ହୋଇଥିବାବେଳେ ଶୁଭମନ ଗିଲ୍ ଆଉଟ୍ ହୋଇଥିଲେ। ଏହାପରେ ରୋହିତ ଶର୍ମା ମଧ୍ଯ ୨୮ ରନ୍ କରି ପାଭେଲିୟନ ଫେରି ଯାଇଥିଲେ।

ଏହାପରେ ବିରାଟ କୋହଲୀ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ ୯୧ ରନର ଭାଗିଦରୀ ଭାରତକୁ ବିଜୟ ଅଭିମୁଖେ ନେଇଯାଇଥିଲା। ଏଥିରେ ବିରାଟ କୋହଲୀଙ୍କ ୮୪ ରନର ଇନିଂସ କ୍ରିକେଟ୍ ପ୍ରେମୀଙ୍କୁ ବହୁତ ଉତ୍ସାହିତ କରିଥିଲା। କୋହଲୀଙ୍କ ୱିକେଟ୍ ପଡ଼ିବା ପରେ କେ ଏଲ୍ ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ଦଳକୁ ବିଜୟୀ କରାଇଥିଲେ।

ଏବେ ଭାରତ ପ୍ରଥମ ଦଳ ଭାବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ବୁଧବାର ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳାଯିବ। ଏହି ମ୍ୟାଚର ବିଜେତା ସହ ଆସନ୍ତା ରବିବାର ଫାଇନାଲ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହେବ।

Tags: #ICCChampionsTrophy2025 #Semifinal #IndiavsAustralia #Cricket #Dubai #Sports

LEAVE A REPLY

Please enter your comment!
Please enter your name here