ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଜେଟ୍‌ଓ୍ୱର୍କ’ କମ୍ପାନିର ସହ-ପ୍ରତିଷ୍ଠାତା ଓ ସିଇଓ ଅମୃତ ଆଚାର୍ଯ୍ୟଙ୍କସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।

‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ସପ୍ତମ ଅଧ୍ୟାୟରେ ଅତିଥି ଥିଲେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଗ୍ଲୋବାଲ ଷ୍ଟାର୍ଟଅପ୍ କମ୍ପାନି ଜେଟ୍‌ଓ୍ୱର୍କ’ର ସହ-ପ୍ରତିଷ୍ଠାତା ଓ ସିଇଓ ଅମୃତ ଆଚାର୍ଯ୍ୟ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରିଥିଲେ।

ଅମୃତଙ୍କ ଜନ୍ମ କଟକରେ। କିନ୍ତୁ ବଢ଼ିଛନ୍ତି ଭୁବନେଶ୍ଵରରେ। ଭୁବନେଶ୍ଵରର ରୁଚିକା ସ୍କୁଲରୁ ଦଶମ ଶ୍ରେଣୀ ପରେ ବିଜେବି କଲେଜରେ ପାଠପଢ଼ା। ବିଜେବି କଲେଜରୁ ସିଧା ଆଇଆଇଟି ମାଡ୍ରାସ୍। ଇଞ୍ଜିନିୟରିଂ ଶିକ୍ଷା ସମାପ୍ତି ପରେ ପ୍ରଥମେ ଚାକିରି ଆଇଟିସି କମ୍ପାନିରେ।

ପରବର୍ତ୍ତୀ ସମୟରେ ମେକେନ୍ସି ଅମୃତଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ଉଚ୍ଚତା। ତେବେ ଅଳ୍ପ କିଛି ବର୍ଷ ମଧ୍ୟରେ ଚାକିରିର ଡୋର କାଟିଦେଇ ଅମୃତ ଉଦ୍ୟୋଗ ଦୁନିଆରେ ପାଦ ଦେଇଥିଲେ। ମାତ୍ର କିଛି ବର୍ଷ ମଧ୍ୟରେ ଆଜି ତାଙ୍କ କମ୍ପାନି ଏକ ୟୁନିକର୍ନ (୧ ବିଲିୟନ ଆମେରିକୀୟ ଡଲାର ମୂଲ୍ୟାୟନ ବିଶିଷ୍ଟ) ଭାବେ ଭାରତର ଷ୍ଟାର୍ଟଅପ୍ ବଜାରରେ ବିଶେଷ ଆକର୍ଷଣ ପାଲଟିଛି।

ଓଡ଼ିଶାଲାଇଭ୍ ପ୍ରସ୍ତୁତ ଷ୍ଟାର୍ଟଅପ୍ ଷ୍ଟୋରିର ଏହି ପ୍ରାୟ ୬୦ ମିନିଟ୍‌ର ଭିଡିଓ ସାକ୍ଷାତକାରରେ ରହିଛି ଅମୃତଙ୍କ ଜୀବନର ସଂକ୍ଷିପ୍ତ ଯାତ୍ରା ଓ ବିଶେଷ ଅନୁଭବ। ଖାସ୍‌ କରି କେଉଁ ପରିସ୍ଥିତିରେ ଅମୃତ ଓ ତାଙ୍କର ସହ-ପ୍ରତିଷ୍ଠାତାମାନେ ମିଶି ‘ଜେଟ୍‌ଓ୍ଵର୍କ’ କମ୍ପାନି ଆରମ୍ଭ କଲେ, ଏହି କମ୍ପାନି ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କି ପ୍ରକାର କାରବାର କରେ, ଭାରତୀୟ ମ୍ୟାନୁଫାକ୍ଚରିଂ ଶିଳ୍ପ ଲାଗି ଏହି କମ୍ପାନିର କି ପ୍ରକାର ଅବଦାନ ରହିଛି ଏହିସବୁ କଥା ଏହି ସାକ୍ଷାତକାରରୁ ଜାଣିବାକୁ ମିଳିବ।

Tags: #Startup #AmritAcharya #Zetwerk #StartupStory #StartupOdisha #SkilledinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଅମୃତଆଚାର୍ଯ୍ୟ

LEAVE A REPLY

Please enter your comment!
Please enter your name here