ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଥିଲେ, ଏହି କେନ୍ଦ୍ରରେ ଉନ୍ନତମାନର ଥେରାପି ସୁବିଧା ମିଳୁଛି। ପକ୍ଷାଘାତ, ଅସ୍ଥିଶଲ୍ୟ ଜନିତ ସମସ୍ୟା ତଥା ସ୍ନାୟୁ ଜନିତ ଯନ୍ତ୍ରଣା ଭୋଗୁଥିବା ରୋଗୀମାନଙ୍କୁ ରୋବୋଟିକ ଜ୍ଞାନକୌଶଳରେ ଫିଜିଓଥେରାପି ପ୍ରଦାନ କରାଯାଉଛି। ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରସ୍ତୁତ କରାଯାଇ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଉଛି। ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନବଜାତ ଭିନ୍ନକ୍ଷମ ଶିଶୁମାନଙ୍କୁ ମଧ୍ୟ ଉତ୍ତମ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର ପ୍ରଦାନ କରିବା ସହ ୬ଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।

ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ପ୍ରକଶ ସୋରେନ, ଜିଲ୍ଲାପାଳ ହେମକାନ୍ତ ସାଏ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ନିୟତୀ ପଟ୍ଟନାୟକ, ବିଭାଗର ଅତିରିକ୍ତ ସଚିବ ସୋନିଆ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ କୁମାର ବେହେରା ଏବଂ ମନ୍ତ୍ରୀଙ୍କ ପ୍ରତିନିଧି କାନ୍ଦରା ସୋରେନ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ସୋରେନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାବେଳେ ବିଭାଗର ନିର୍ଦ୍ଦେଶିକା ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଲକ୍ଷ୍ମୀପୋଷିର ମୂକ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ସହକାରୀ ଶିକ୍ଷକ ଅନିରୁଦ୍ଧ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #ModernRehabilitationCenter #Inauguration #Mayurbhanj #Baripada #Odisha

LEAVE A REPLY

Please enter your comment!
Please enter your name here