ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ଆଜି, ଗୁରୁବାର ଦିନ ରାଜ୍ୟର ୨ ଲକ୍ଷ ୩୦ ହଜାର ହିତାଧିକାରୀ ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଛନ୍ତି। ଆଉ ଦିନକ ପରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ପାଇବେ ହିତାଧିକାରୀ।
ମାର୍ଚ୍ଚ ୩୧ ତାରିଖରେ ଆବେଦନ ବନ୍ଦ ହେବା ସହ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ଲାଗି ଡୋର ଟୁ ଡୋର ସର୍ଭେ କରାଯିବ। ସର୍ଭେ ଚାଲିବା ପର୍ଯ୍ୟନ୍ତ ସୁଭଦ୍ରା ଆବେଦନ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଗତ ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯାଇଥିଲା। ୨୦୨୪ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୯ ଲକ୍ଷ ହିତାଧିକାର ଏହି ଯୋଜନାରୁ ଉପକୃତ ହୋଇଥିଲେ।
ସେହିପରି ତୃତୀୟ ପର୍ଯ୍ୟାୟ ଟଙ୍କା ରାଶି ୨୦୨୪ ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦୨୫ ମସିହା ଫେବ୍ରୁଆରି ୮ ତାରିଖ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଥିଲା।
Tags: #SubhadraYojana #SubhdraBenefit #WomenEmpowerment #Odisha #PravatiParida #OdishaGovt