ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଚାଲିଥିବା ୨୦୨୫ ମାଟ୍ରିକ ପରୀକ୍ଷା ଗୁରୁବାର ସରିଛି। ଛାତ୍ରଛାତ୍ରୀମାନେ ଶେଷ ଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ସମୟରେ ଶେଷ ହୋଇଥିଲା। ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ।
ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରେ ଆରମ୍ଭ ହୋଇଥିଲା। ପରୀକ୍ଷାକୁ ଭଲ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ସବୁ କେନ୍ଦ୍ର ଉପରେ ନଜର ରଖିବାକୁ ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିଲା।
ଅନ୍ୟପଟେ କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିନ ହେବାସହ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା ହୋଇଥିଲା।
୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶାରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ପରୀକ୍ଷାକୁ ସୂଚାରୁ ରୂପେ ଚଳାଇବା ପାଇଁ ମୋଟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଏହାଛଡ଼ା ପ୍ରଶ୍ନପତ୍ର ରଖିବା ପାଇଁ ବୋର୍ଡ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଥିଲା।
Tags: #MatricExam2025 #Education #Students #Examination #BSE #Odisha