ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜମି କିମ୍ବା ଆପାର୍ଟମେଣ୍ଟ କିଣୁଥିଲେ ସାବଧାନ! ଅନେକ ଜିଲ୍ଲାରେ ଜାଲ କାଗଜପତ୍ରରେ ହେଉଛି ପାର୍ଟ ପ୍ଲଟ ପଞ୍ଜୀକରଣ।
ଓଡ଼ିଶାରେ ଏକାଧିକ ଜମି ପଞ୍ଜୀକରଣ ମାମଲାରେ ଦୁର୍ନୀତି ତଥା ଅନିୟମିତତା ଦେଖିବାକୁ ମିଳିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟର ଏକାଧିକ ସନ୍ଦେହଜନକ ସମ୍ପତ୍ତି ପଞ୍ଜୀକରଣ ମାମଲାଗୁଡ଼ିକର ସମୀକ୍ଷା କରିବା ସମୟରେ ଏନେଇ ଅନେକ ଠକେଇ ସାମ୍ନାକୁ ଆସିଛି। ଅନେକ ଜିଲ୍ଲାରେ ଜାଲ କାଗଜପତ୍ରରେ ପାର୍ଟ ପ୍ଲଟ ପଞ୍ଜୀକରଣ ହେଉଛି। ଏହି ଦୁର୍ନୀତିରେ ରାଜସ୍ୱ ବିଭାଗର କିଛି ସବ-ରେଜିଷ୍ଟ୍ରାର ଲିପ୍ତ ଥିବା ନଜରକୁ ଆସିଛି। ହାଇକୋର୍ଟ ଏଭଳି ମାମଲାରେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ(ଆଇଜିଆର)ଙ୍କୁ ଦାୟିତ୍ୱ ଦେଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ଅନୁଗୁଳ ଓ ବ୍ରହ୍ମପୁର-୧ ସବରେଜିଷ୍ଟ୍ରାରଙ୍କ ବିରୋଧରେ ଆଇଜିଆର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଖୋର୍ଦ୍ଧା ଏବଂ ବାରଙ୍ଗର ସବ-ରେଜିଷ୍ଟ୍ରାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
କିପରି ହେଲା ନକଲି ପଞ୍ଜୀକରଣ ?
ଏହି ଠକେଇ ମୁଖ୍ୟତଃ ବିଲଡର, ଦଲାଲ ଏବଂ ସରକାରୀ ଅଧିକାରୀଙ୍କ ମିଳିତ ସହଯୋଗରେ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଆବେଦନକାରୀ ବିମଳେନ୍ଦୁ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ।
ରାଜ୍ୟରେ ଜାଲ କାଗଜପତ୍ର ବ୍ୟବହାର କରି ପାର୍ଟ ପ୍ଲଟ ଏବଂ ଆପାର୍ଟମେଣ୍ଟର ପଞ୍ଜୀକରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ।
ଅନୁଗୁଳ ଏବଂ ବ୍ରହ୍ମପୁର-୧:
ଅନୁଗୁଳ ଓ ବ୍ରହ୍ମପୁର-୧ ସବ-ରେଜିଷ୍ଟ୍ରାରଙ୍କ ଅଧୀନରେ ହୋଇଥିବା ଆପାର୍ଟମେଣ୍ଟର ପଞ୍ଜୀକରଣରେ ଅନିୟମିତତା ଦେଖାଦେଇଥିଲା। ଏଗୁଡ଼ିକ ଓଡ଼ିଶା ଆପାର୍ଟମେଣ୍ଟ ଓନରଶିପ ଆଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ (ଓଏଓଏମଏ) ନିୟମ ଉଲ୍ଲଂଘନ କରି ପଞ୍ଜୀକୃତ ହୋଇଥିଲା। ଏଥିରେ ବିଲ୍ଡରମାନେ ବୈଧ ଅନୁମତି ବିନା ଆପାର୍ଟମେଣ୍ଟଗୁଡ଼ିକୁ ବିକ୍ରି କରିଥିଲେ ଏବଂ ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ଅନୁମୋଦନ କରିଥିଲେ। ଏହି ପଞ୍ଜୀକରଣଗୁଡ଼ିକୁ ପରେ ଅବୈଧ ଘୋଷଣା କରାଯାଇପାରେ, ଯାହା କ୍ରେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ତେବେ ଏଥିରେ ସମ୍ପୃକ୍ତ ସବ-ରେଜିଷ୍ଟ୍ରାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଜିଆର ନିର୍ଦ୍ଦେଶ ଦେଇଛନ୍ତି।
ଖୋର୍ଦ୍ଧା:
ଖୋର୍ଦ୍ଧାରେ ଗତ ଦୁଇ ମାସରେ, ବୈଧ କାଗଜପତ୍ର ବିନା ୫୫ଟି ପାର୍ଟ ପ୍ଲଟ୍ ପଞ୍ଜୀକୃତ ହୋଇଛି। ଅନେକ କ୍ଷେତ୍ରରେ, ମାଲିକାନାର ସ୍ପଷ୍ଟ ପ୍ରମାଣ ନଥାଇ ମଧ୍ୟ ଏହାର ପଞ୍ଜୀକରଣ କରାଯାଇଥିଲା। ଏହି ପ୍ଲଟଗୁଡ଼ିକ କିଣିଥିବା କ୍ରେତା ଭବିଷ୍ୟତରେ ସେମାନଙ୍କ ଜମିକୁ ନେଇ ବିବାଦର ସମ୍ମୁଖୀନ ହୋଇପାରନ୍ତି।
ବାରଙ୍ଗ:
ବାରଙ୍ଗ ସବ-ରେଜିଷ୍ଟ୍ରାରଙ୍କ ଅଧୀନରେ ଆପାର୍ଟମେଣ୍ଟ ପାଇଁ ହୋଇଥିବା ଜମିପଞ୍ଜୀକରଣ ସିଡିଏ (କଟକ ଡେଭଲପମେଣ୍ଟ ଅଥୋରିଟି) ଏବଂ ରେରା (ରିୟଲ୍ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ)ର ଅନୁମୋଦନ ବିନା କରାଯାଇଥିଲା। ଏପରି ପରିସ୍ଥିତିରେ, ସରକାର ଏହି ପଞ୍ଜୀକରଣଗୁଡ଼ିକୁ ଅବୈଧ ଘୋଷଣା କରିପାରନ୍ତି।
ଜମି ଠକାମିରୁ କିପରି ରକ୍ଷା ପାଇବେ?
ଆପଣ ଜମି କିମ୍ବା ଆପାର୍ଟମେଣ୍ଟ କିଣୁଥିଲେ ନିମ୍ନଲିଖିତ ପଦକ୍ଷେପ ଉପରେ ଧ୍ୟାନ ରଖନ୍ତୁ।
• ଜମି ମାଲିକାନା ଯାଞ୍ଚ କରନ୍ତୁ: ପଞ୍ଜୀକରଣ ପୂର୍ବରୁ ଏନକମ୍ବ୍ରାନ୍ସ ପ୍ରମାଣପତ୍ର (ଇସି) ପ୍ରାପ୍ତ କରନ୍ତୁ। ଏହା ସମ୍ପତ୍ତି ଉପରେ କୌଣସି ଆଇନଗତ ବିବାଦ ନଥିବା ପ୍ରମାଣ କରିଥାଏ। ଏଥି ସହ ‘ଭୁଲେଖ ଓଡ଼ିଶା’ ପୋର୍ଟାଲରୁ ଜମି ମାଲିକାନା ଯାଞ୍ଚ କରନ୍ତୁ।
• ଜମି/ଆପାର୍ଟମେଣ୍ଟର ସରକାରୀ ଅନୁମୋଦନ ଯାଞ୍ଚ କରନ୍ତୁ: କୌଣସି ଜମି କିମ୍ବା ଆପାର୍ଟମେଣ୍ଟ କିଣିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ସମ୍ପତ୍ତିଟି ସିଡିଏ, ବିଡିଏ, କିମ୍ବା ରେରା ଅନୁମୋଦନ ପାଇଛି। ରେରା ପଞ୍ଜୀକରଣ ବିନା ସମ୍ପତ୍ତି କିଣନ୍ତୁ ନାହିଁ।
• ମଧ୍ୟସ୍ଥିଙ୍କଠାରୁ ସାବଧାନ ରୁହନ୍ତୁ: କେବଳ ଅଧିକୃତ ବିଲ୍ଡର ଏବଂ ଡେଭଲପରଙ୍କଠାରୁ ସମ୍ପତ୍ତି କିଣନ୍ତୁ। ନକଲି ଏଜେଣ୍ଟମାନଙ୍କଠାରୁ ସାବଧାନ ରହିବା ସହ ଜମି କିଣିବା ପୂର୍ବରୁ ପ୍ରତ୍ୟେକ ଡକ୍ୟୁମେଣ୍ଟକୁ ଭଲଭାବେ ଯାଞ୍ଚ କରନ୍ତୁ।
• ପଞ୍ଜୀକରଣ ପୂର୍ବରୁ ବ୍ୟକ୍ତିଗତ ଭାବରେ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରନ୍ତୁ। ଅଜଣା ବ୍ୟକ୍ତି କିମ୍ବା ଦଲାଲଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ ନାହିଁ।
• ଓକିଲଙ୍କ ସହ ପରାମର୍ଶ କରନ୍ତୁ: ଜମିର ବୈଧତା ପ୍ରମାଣ କରିବା ପାଇଁ ଓକିଲଙ୍କ ସାହାଯ୍ୟ ନିଅନ୍ତୁ। ଯେକୌଣସି ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିବା ପୂର୍ବରୁ ଜଣେ ଓକିଲଙ୍କୁ ସମୀକ୍ଷା କରିବାକୁ ଦିଅନ୍ତୁ।
• ଏହା ପରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ଆଇଜିଆର ଓଡ଼ିଶା କିମ୍ବା ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରନ୍ତୁ।
Tags: #PartPlotRegistration #ApartmentRegistration #IllegalRegistration #IGRNotice #Subregistrar #HighCourt #Odisha


















