ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ କଲବଲ କରିବା ଆରମ୍ଭ କଲାଣି ଖରା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ହେଉଛି। ଆଗକୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବା ସହ ଏକାଧିକ ଅଞ୍ଚଳରେ ହିଟୱେଭ୍ ହେବାର ସମ୍ଭାବନା ରହିଛି। ଏନେଇ ଗୁରୁବାର ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୩୭ ଡିଗ୍ରୀ ପାର୍ କରିଥିଲା। ବୌଦ୍ଧରେ ୩୯.୫ ଡିଗ୍ରୀ ସହ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ, ବଲାଙ୍ଗିରରେ ୩୮.୫ ଡିଗ୍ରୀ ସମ୍ବଲପୁରରେ ୩୮.୩ ଡିଗ୍ରୀ, ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ, ହୀରାକୁଦ, ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡିରେ ୩୭.୨ ଡିଗ୍ରୀ, ଅନୁଗୁଳରେ ୩୭.୧ ଡିଗ୍ରୀ, ମାଲକାନଗିରି ଓ ବାରିପଦାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ଓଡ଼ିଶାରେ ହିଟୱେଭ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଗୁରୁବାର ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲା ସାମିଲ ଅଛି।
ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
Tags: #Weather #HeatWave #TemperatureRise #Summer #MCBBSR #Odisha