ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ଗୁମର ଖୋଲିବାକୁ ପୁଣି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡ଼ାସ୍ଥିତ ସ୍ଵର୍ଗତ ନବ ଦାସଙ୍କ ବାସଭବନରେ ମଙ୍ଗଳବାର ଦିନ ପହଞ୍ଚିଛନ୍ତି ଦୁଇଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଏହି ଟିମରେ ଅଛନ୍ତି ଜଣେ ନୂଆ ଅଧିକାରୀ ଓ ଜଣେ ମହିଳା ଅଧିକାରୀ।

ସ୍ଵର୍ଗତ ନବ କିଶୋର ଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସିପି ବିଜୟ ମଲ୍ଲିକ ଓ ଡିଏସପି ଦୀପ୍ତିମୟୀ ମଲ୍ଲିକ। ନବ ଦାସଙ୍କ ପରିବାର ଲୋକଙ୍କ ବୟାନ ପୁଣି ଥରେ ରେକର୍ଡ କରିବାକୁ ନୋଟିସ୍ କରାଯାଇଥିଲା।

ଏପଟେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ପୁନର୍ବାର ତଦନ୍ତ ଆରମ୍ଭ କରାଯାଇଥିବା ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଗୁଳି କରି ହତ୍ୟା କରାଗଲା। କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି ବୋଲି ସେ କହିଛନ୍ତି।

ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବା ଲାଗି ତାଙ୍କ ପରିବାର ଚାହୁଁଛନ୍ତି। ଏଥିପାଇଁ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ଲାଗି ଚିଠି ଲେଖିଛନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଏହା ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ ସିବିଆଇ ତଦନ୍ତ ପାଇଁ ଚାହୁଁଥିଲେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇବାକୁ ପଡ଼ିଥାଏ। ଏହା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।

ଇତି ମଧ୍ୟରେ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ଦୁଇ ବର୍ଷ ବିତି ଯାଇଛି। ଗତ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧୀ ଛକଠାରେ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାରଲିଫ୍ଟ କରି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟା ମାମଲାରେ ଗୋପାଳ ଦାସ ଗିରଫ ହୋଇ ଜେଲ ହାଜତରେ।

Tags: #NabaKishorDasMurderCase #CrimeBranchInvestigation #GopalDas #Jharsuguda #Odisha

Comment