ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାକୁ ନେଇ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ଆଜି, ସୋମବାର ଦିନ ହାଜର ହେଲେନି ଦୀପାଳି।
ସୋମବାର ଦିନ ହାଜର ନହୋଇ ଅନ୍ୟ କୌଣସି ଦିନ ହାଜର ହେବା ଲାଗି କ୍ରାଇମବ୍ରାଞ୍ଚକୁ ସମୟ ମାଗିଛନ୍ତି ଦୀପାଳି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବା ଲାଗି ସେ ଜଣାଇଛନ୍ତି।
ତେବେ ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ରେକର୍ଡ କରିବାକୁ କହୁଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
କିଛି ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଘଟଣାର ସିବିଆଇ ତଦନ୍ତ ପାଇଁ ଦୀପାଳି ଦାସ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏହା ଉପରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଥିଲେ, ସ୍ଵର୍ଗତ ନବକିଶୋର ଦାସଙ୍କ ପରିବାର ଲିଖିତ ଭାବେ ଜଣାଇଲେ ସରକାର ତା’ ଉପରେ ନିଷ୍ପତ୍ତି ନେବେ।
ପରିବାର ଲୋକଙ୍କ ସହ ଆଲୋଚନା କରି ଲିଖିତ ଭାବେ ସରକାରଙ୍କୁ ଜଣାଇବେ ବୋଲି ଗତ ଜାନୁଆରି ମାସରେ ଦୀପାଳି କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଭାବେ କୌଣସି ଆବେଦନ କରାଯାଇ ନାହିଁ। ଏହାରି ମଧ୍ୟରେ ଦୀପାଳି ଏବଂ ବିଶାଳଙ୍କୁ ହାଜର ହେବା ଲାଗି ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ।
ଗତ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ ନବ କିଶୋର ଦାସଙ୍କ ଉପରକୁ ଗୁଳି କରିଥିଲେ। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା।
ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପାଳ ଦାସ ଏବେ ଜେଲ ହାଜତରେ। ତେବେ ଏହି ହତ୍ୟାକାଣ୍ଡରେ କେବଳ ଗୋପାଳ ନୁହେଁ, ଅନ୍ୟ କେହି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲ୍ୟାବ (ଏସଏଫଏସଏଲ) ଦେଇଥିବା ରିପୋର୍ଟ ଅନ୍ୟ କଥା କହୁଛି। ଉଭୟ କ୍ରାଇମବ୍ରାଞ୍ଚ ଏବଂ ଏସଏଫଏସଏଲର ରିପୋର୍ଟରେ ତାଳମେଳ ରହୁନଥିବାରୁ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ଆହୁରି ବଢ଼ିବାକୁ ଲାଗିଛି।
Tags: #NabaKishorDasMurderCase #CrimeBranchInvestigation #ChargeSheet #GopalDas #Jharsuguda #Odisha
















