ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ବଣିପାହାଡ଼ ଜଙ୍ଗଲ ନିକଟରେ ଗୁରୁବାର ଏକ କାରରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ମଧ୍ୟରେ ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କ ୭ ବର୍ଷର ଝିଅ ରହିଛନ୍ତି। ସ୍ଵାମୀଜଣକ ନିଜ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗୁରୁବାର ସକାଳେ ବଣିପାହାଡ଼ ଜଙ୍ଗଲ ନିକଟସ୍ଥ ଲଖନପୁର ଆଦର୍ଶ ବିଦ୍ୟାଳୟ ଖେଳପଡ଼ିଆ ନିକଟରେ ଏକ କାର୍‌ ଭିତରେ ୩ ଜଣଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ କାର ଭିତରୁ ମୃତ ଦେହଗୁଡ଼ିକୁ ଉଦ୍ଧାର କରି ଫରେନସିକ ଟେଷ୍ଟ ପାଇଁ ପଠାଇଛନ୍ତି। ଘଟଣା ସ୍ଥଳରୁ ବନ୍ଧୁକ ମଧ୍ୟ ମିଳିଛି। ଏବେ ଏହି ହତ୍ୟାର ତଦନ୍ତ କରାଯାଉଛି। ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ସ୍ୱାମୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ମୃତକମାନଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ଏହି ଅଭାବନୀୟ ଘଟଣାର କାରଣ ଏବେବି ଅସ୍ପଷ୍ଟ ରହିଛି।

Tags: #Jharsuguda #Murder #Death #Crime #Odisha

Comment